ଗୌତମ ରାୟ ଯାଜପୁର ଜିଲ୍ଲା ବିଜେପି ସଭାପତି

ଯାଜପୁର : ବିଜେପିର ବରିଷ୍ଠ ନେତା ଗୌତମ ରାୟଙ୍କୁ ଆଜି ଯାଜପୁର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି। ଆଜି ତାଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହୋଇଛି। ଯାଜପୁର ଭଳି ଏକ ରାଜନୈତିକ ସଂବେଦନଶୀଳ ଜିଲ୍ଲାର ସଭାପତି ଭାବେ ଶ୍ରୀ ରାୟଙ୍କ ନାମ ଘୋଷଣା ପରେ ବିଜେପି ସମର୍ଥକ ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି।

ଶ୍ରୀ ରାୟ ୧୯୯୨ ମସିହାରେ ଦଶରଥପୁର ବ୍ଲକ୍‌ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୨ ମସିହାରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ଦଖଲ କରିଥିଲେ। ୨୦୦୦ ମସିହା ପୂର୍ବରୁ ଜନତା ଦଳରେ ସକ୍ରିୟ ଥିବା ଶ୍ରୀ ରାୟ ୨୦୦୦ ମସିହା ପରେ ଜିଲ୍ଲା ବିଜେଡିରେ ଏକ ପ୍ରଭାବଶାଳୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେ ମଧ୍ୟ ଜିଲ୍ଲା ବିଜେଡିର ସଭାପତି ଭାବେ କାର୍ଯ୍ୟ କରିଥିଲେ। ୨୦୦୪ ମସିହାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇ ଶ୍ରୀ ରାୟ ଅଳ୍ପ ଭୋଟ୍‌ରେ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ଠାରୁ ହାରି ଯାଇଥିଲେ।

ପୁଣି ୨୦୦୯ ମସିହାରେ ଶ୍ରୀ ରାୟଙ୍କୁ ବିଜେଡି ପକ୍ଷରୁ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ଶ୍ରୀ ରାୟ ଏହି ଟିକେଟ୍‌କୁ ପ୍ରତ୍ୟାଖ୍ୟାନ କରି ଯାଜପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟ୍‌ରୁ ଲଢ଼ି ପରାଜିତ ହୋଇଥିଲେ। ପରାଜିତ ହେବା ପରେ କିଛି ଦିନ ସକ୍ରିୟ ରାଜନୀତିରୁ ଦୂରେଇ ରହଥିଲେ। ମାତ୍ର ୨୦୧୭ ପଞ୍ଚାୟତ ନିର୍ବାଚନରେ ସେ ମଙ୍ଗ ଧରି ରାଜନୈତିକ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କ ପ୍ରତ୍ୟକ୍ଷ ଗୋଟି ଚାଳନାରେ ଯାଜପୁର ଓ ବିଂଝାରପୁର ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ନିର୍ଣ୍ଣାୟକ ଜନସମର୍ଥନ ହାସଲ୍‌ କରିଥିଲା। ଆଜି ଶ୍ରୀ ରାୟଙ୍କ ଘୋଷଣା ପରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଯାଜପୁର, ବିଂଝାରପୁର, କୋରେଇ, ବରୀ, ଧର୍ମଶାଳା, ବଡ଼ଚଣା ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର