ଯୁବକଙ୍କୁ ସଂଘବଦ୍ଧ ହତ୍ୟା ଘଟଣା:୮ ଜଣଙ୍କୁ ଆଜୀବନ ଜେଲ୍‌

ଯାଜପୁରସଦର/ଚଣ୍ଡିଖୋଲ: ୮ ବର୍ଷ ତଳର ଏକ ସଂଘବଦ୍ଧ ହତ୍ୟାକାଣ୍ଡ ଘଟଣାରେ ଆଜି ଯାଜପୁର ଜିଲ୍ଳା ଦୌରାଜଜ୍‌ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାବ୍ୟତୀତ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୧୬ ଜଣଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।
୨୦୦୯ ମସିହା ନଭେମ୍ବର ୧୧ ତାରିଖ ଦିନ ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଭୁଲୁକାଠାରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିଲା। ସେଦିନ ଏହି ଗ୍ରାମ ଅନ୍ତର୍ଗତ ମହାନ୍ତି ସାହିର ଗଭା ମହାନ୍ତି ନାମକ ଜଣେ ବିଧବା ମହିଳାଙ୍କୁ ଜେନା ସାହିର କିଛି ଲୋକ ମାର୍‌ଧାର କରିବା ଘଟଣାକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଜେନା ସାହିର କିଛି ଲୋକ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଶ୍ରୀକାନ୍ତ ମହାନ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବାଲିଚନ୍ଦ୍ରପୁର ଥାନା ପୁଲିସ ୧୨୯/୨୦୦୯, ଦଫା ୩୦୨, ୧୪୯,୧୪୮, ଆର୍ମସ୍‌ ଆକ୍ଟ ୨୫ ଓ ୨୭ରେ ଏକ ମାମଲା ରୁଜୁ କରିଥିଲେ।
ଯାଜପୁର ଜିଲ୍ଳା ଦୌରାଜଜ୍‌ ଡ. ରାଧାକାନ୍ତ ମିଶ୍ର ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜେନାସାହିର ୮ ଜଣଙ୍କୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ, ସରୋଜ ଜେନା, ଶ୍ରୀକାନ୍ତ ଜେନା, ବିପିନ ଜେନା, ଗୁଣନିଧି ଜେନା, ନିର୍ମଳ ଜେନା, ଶ୍ରୀଚନ୍ଦନ ଜେନା, ଅମର ଜେନା ଓ ରଂଜନ ଜେନା। ଗୁଣନିଧି ଶଯ୍ୟାଶାୟୀ ଥିବାବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ପରେ କୋର୍ଟ ପରିସରରେ ଉପସ୍ଥିତ ପରିବାର ଲୋକେ ମ୍ରିୟମାଣ ହୋଇପଡ଼ିଥିଲେ।

କୋର୍ଟ ପରିସରରେ କିଛି ସମୟ ପାଇଁ ଏକ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା। ଏଥିସହିତ ଅନ୍ୟ ୧୬ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ, ୬ ଜଣ ହରିଶ୍ଚନ୍ଦ୍ର ଜେନା, ଶ୍ୟାମାମଣୀ ଜେନା, ରାଧାନାଥ ଜେନା, ହେମନ୍ତ କୁମାର ଜେନା, ଅମର ଜେନା, ବ୍ରହ୍ମାନନ୍ଦ ଜେନା, ବିବେକାନନ୍ଦ ଜେନା, ରମେଶ ଜେନା, ଶରତ ଜେନା, ରମାକାନ୍ତ ଜେନା, କୃଷ୍ଣ ଜେନା, ମୋହନ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ସୁୁମନ୍ତ ଜେନା, କଳ୍ପତରୁ ଜେନା ଓ କେଦାର ଜେନା। ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ଜେନାକୁ ଆର୍ମସ୍‌ ଆକ୍ଟ ୨୫ ‘ବି’ ରେ ଏକ ବର୍ଷ ସହିତ ୧୦୦୦ ଜରିମାନା ଓ ଆର୍ମସ ଆକ୍ଟ ୨୭ରେ ଅଧିକ ୩ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି। ପବ୍ଲିକ୍‌ ପ୍ରସିିକ୍ୟୁଟର(ପିପି) କିଶୋରଚନ୍ଦ୍ର କର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର