କାଳିଆପାଣି : ନଗଡ଼ା ଦୁର୍ନାମ ମୁଣ୍ଡେଇଥିବା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତରେ ଏବେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କାମ ଚାଲିଛି। ପ୍ରଥମ ପର୍ଯ୍ୟାୟ ଏହି ପଞ୍ଚାୟତ ଅନ୍ତର୍ଗତ ଅରଡ଼ାପାଳ ମୌଜାର ସଂପୂର୍ଣ୍ଣ ଆଦିବାସୀ ବସ୍ତି ମୁଣ୍ଡାସାହି ଓ ଗୋଡ଼ଭଙ୍ଗା ସାହିରେ ଘରେ ଘରେ ପାଇଖାନା ନିର୍ମାଣ ଚାଲିଛି। ହେଲେ ଏହି ଦୀର୍ଘ ମିଆଦି ମହତ୍ଵପୂର୍ଣ୍ଣ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଉଠିଛି। ନିଅଁଠୁ ଆରମ୍ଭ କରି କବାଟ ପର୍ଯ୍ୟନ୍ତ ସବୁଠି ଠକେଇ। ନିମ୍ନମାନର ଇଟା, ବାଲି ସିମେଣ୍ଟ୍ ଅନୁପାତରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ୧୨ ଜଣିଆ ଝାଡ଼ଖଣ୍ଡୀ ଠିକାଦାର ଦଳ ଅରଡ଼ାପାଳରେ କ୍ୟାମ୍ପ୍ କରି କାମରେ ଲାଗିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବଲପୁରର ଏକ ମହିଳା ସମିତି ଏହାର ଠିକାକାମ ନେଇଥିବା ସଂପର୍କରେ ସେମାନେ କହୁଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ବିନା ତଦାରଖରେ କାମ ହେଉଛି। ନିମ୍ନମାନର କାମ ପାଇଁ ସବୁ ପାଇଖାନା କମ୍ ଦିନରେ ଭୁଶୁଡ଼ି ପଡ଼ିବା ଆଶଂକା ପ୍ରକାଶ ପାଇଛି।୩ ଫୁଟ ଓସାର ଓ ୪ ଫୁଟ୍ ଲମ୍ବକୁ ନେଇ ୧୨ ବର୍ଗଫୁଟ୍ କ୍ଷେତ୍ରଫଳ ବିଶିଷ୍ଟ ପାଇଖାନା ପାଇଁ ମାତ୍ର ୩ ଇଞ୍ଚ ନିଅଁ ଖୋଳା ଯାଉଛି। ପ୍ଲିନ୍ଥରେ ମାତ୍ର ୨ ରଦା ଇଟା(୬ ଇଞ୍ଚ ଉଚ୍ଚତା) ଦିଆ ଯାଉଛି। ଏଥିପାଇଁ ବର୍ଷା ସମୟରେ ନିର୍ମାଣାଧୀନ ପାଇଖାନା ଭିତରକୁ ପାଣି ପଶିଯାଉଛି। ଏହି ଠିକାଦାର ଦଳ ଗାଁର ସରଳ ଓ ନିରୀହ ଆଦିବାସୀମାନଙ୍କୁ ଧମକଚମକ ଦେଇ କାମ କରାଇବାକୁ ବାଧ୍ୟ କରୁଛନ୍ତି।
ଘର ମୁଖିଆଙ୍କ ଆଧାର କାର୍ଡ ହାତେଇବା ସହ ଅଗଣାରେ ପାଇଖାନା ନିର୍ମାଣ ନକଲେ ରାସନ କାର୍ଡ ଓ ଭତ୍ତା କଟିଯିବ ବୋଲି ଭୟ ଦେଖାଉଛନ୍ତି। ସେହିପରି ସଂପୃକ୍ତ ପରିବାରକୁ ନିର୍ମାଣସ୍ଥଳ ପର୍ଯ୍ୟନ୍ତ ବାଲି, ଇଟା ଓ ପାଣି ଯୋଗାଇବା ସହ ଦୁଇଦିନ ଧରି ଶ୍ରମଦାନରେ ସହଯୋଗ ପାଇଁ ବାଧ୍ୟ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ନିରକ୍ଷର ଓ ଅପାଠୁଆ ଲୋକେ ଠିକାଦାର ପାଖରେ ଦୁଇଦିନ ଧରି ମାଗଣା ଖଟୁଛନ୍ତି। ଗୋଡ଼ଭଙ୍ଗା ସାହିର ସଚେତନ ଯୁବକ ପ୍ରେମାନନ୍ଦ ମାରାଣ୍ଡି, ମାଧା ମାରାଣ୍ଡି, ହାଜାମ ଟୁଡ଼ୁ, ବୃଦ୍ଧ ଲେଦା ଟୁଡ଼ୁ ପ୍ରମୁଖ ଠିକାଦାରଙ୍କ କାର୍ଯ୍ୟର ପ୍ରତିବାଦ କରିବାରୁ ଠିକାଦାର ଦଳରେ ଥିବା ଜଣେ ସ୍ଥାନୀୟ ସହଯୋଗୀ ସେମାନଙ୍କ କାମ ବନ୍ଦ୍ ଚେତାବନୀ ଦେଇଥିଲା।
ତିନି ଇଞ୍ଚିଆ ନିଅଁକୁ ବିରୋଧ କରିବାରୁ ଲେଦା ଟୁଡୁଙ୍କ ପାଇଖାନା ନିର୍ମାଣ କାମ ବନ୍ଦ୍ କରିଦିଆଯାଇଛି। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ବିଷ୍ଣୁ ମୋହନ ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ବାବଦରେ ଅବଗତ ଥିବା କହନ୍ତି। ନିଅଁ ଏକ ଫୁଟ ହେବା ଉଚିିତ ବୋଲି ସେ ସୂଚନା ଦେଇଥିଲେ। ତେବେ ଖୁବଶୀଘ୍ର ସେ ନିର୍ମାଣାଧୀନ ସବୁ ପାଇଖାନା କାମ ତଦାରଖ କରିବେ ବୋଲି କହିଥିଲେ।