ଯାଜପୁରର ଦଶରଥପୁର ବ୍ଲକରେ ଚଢା ଦରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ଅଭିଯୋଗ

ଯାଜପୁର: ମହାମାରୀ ସମୟରେ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ କଣ୍ଟେନ୍ଟମେଣ୍ଟ ଜୋନରେ ସରକାର କିଛି ସଂସ୍ଥାଙ୍କୁ ଗାଁ ଗାଁ ବୁଲି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାପାଇଁ ବିଜ୍ଞପ୍ତି ଜାରି କରିଥିଲେ | ସରକାରଙ୍କ ବିଜ୍ଞପ୍ତି ପରେ କିଛି ସଂସ୍ଥା ସାହାଯ୍ୟ ପାଇଁ ଆଗେଇ ମଧ୍ୟ ଆସିଥିଲେ | କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଅସହାୟଙ୍କୁ ସାହାଯ୍ୟ ପାଇଁ ଆସିଥିବା ସଂସ୍ଥା ଏବେ ଲୋକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି | ସୁଲଭ କଥା ଦୂରରେ ଥାଉ ଏହି ସଂସ୍ଥା ଲୋକମାନଙ୍କୁ ଚଢା ଦରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଡାହାଣୀହଟା ପଂଚାୟତରେ |

ମିଳିଥିବା ସୂଚନା ମୁତାବକ, ଲୋକ ଚଢା ଦରକୁ ନେଇ ବିରୋଧ କରିବାରୁ ଯଦି ନବ ନିଅ ନହେଲେ ଯାଅ ବୋଲି କହିଥିଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରିବାକୁ ଆସିଥିବା ସଂସ୍ଥା । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଉଥିବା ସଂସ୍ଥାକୁ ରେଟ ଚାର୍ଟ ମାଗିବାରୁ ନାହିଁ ବୋଲି କହିବା ସହ ଗାଡ଼ିରେ କୌଣସି ସରକାରଙ୍କ ତରଫରୁ ପାସ ମଧ୍ୟ ଲାଗି ନଥିବା ଦେଖାଯାଇଥିଲା । ଯେଉଁ ସରକାରୀ କାଗଜ ଥିଲା ସେଥିରେ ନା ଥିଲା ଗାଡି ନମ୍ବର ନା ଥିଲା କୌଣସି ନାଁ | କିନ୍ତୁ ସରକାରୀ ବାବୁଙ୍କର ଷ୍ଟାମ୍ପ ଓ ସ୍ଵାକ୍ଷର ଥିଲା। ଏଥିରେ ପ୍ରଶ୍ନ ଉଠୁଛି ସରକାରୀ ବାବୁ ବିନା ଗାଡି ନମ୍ବର ଓ ନାମ ବିନା ସ୍ଵାକ୍ଷର କେମିତି କଲେ ଏବଂ ବିନା ରେଟ ଚାର୍ଟରେ ଲୋକଙ୍କୁ ଲୁଟିବାକୁ ଅନୁମତି ଦେଲା କିଏ? ଏ ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଦେପୁରା ଗ୍ରାମର ପତିତ ପାବନ ମହାନ୍ତି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର