ପ୍ରେମିକା ଘର ଆଗରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ
ମଞ୍ଜୁରୀରୋଡ : ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ସାରୋ ଗ୍ରାମର ଜଣେ ଯୁବତୀଙ୍କ ଘର ଆଗରେ ଯାଜପୁର ଅଞ୍ଚଳର ଜଣେ ଯୁବକ ଗୁରୁବାର ଅପରାହ୍ନରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିବାହ ପାଇଁ ଜିଦ କରିବା ସହ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ପୁଲିସ ପହଞ୍ଚି ସଂପୃକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ମିଳିଥିବା ବିବରଣୀ ଅନୁଯାୟୀ ଯାଜପୁର ଥାନା ଅନ୍ତର୍ଗତ କମଳପୁର ଗ୍ରାମର ଫଗୁ ଜେନାଙ୍କ ପୁଅ ବାଦଲ ସାରୋ ଗ୍ରାମର ଜଣେ ଯୁବତୀକୁ ଗତ କିଛିଦିନ ଧରି ଭଲ ପାଇ ଆସୁଥିବା ବେଳେ ଗୁରୁବାର ଯୁବତୀଙ୍କ ଘରେ ପହଞ୍ଚି ବିବାହ ପାଇଁ ଅଡି ବସିଥିଲେ। ବିବାହ ନ ହେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେବା ସହ ନିଜ ସାଥୀରେ ଆଣିଥିବା ବିଷ ପିଇ ଦେଇଥିଲେ। ଏହା ଦେଖି ଲୋକେ ମଞ୍ଜୁରୀରୋଡ ଫାଣ୍ଡିକୁ ଖବର ଦେବା ପରେ ଫାଣ୍ଡି କନେଷ୍ଟବଳ ଘନଶ୍ୟାମ ଦାସ ଘଟଣା ସ୍ଥଳରେ ପହଞ୍ଚି ବାଦଲକୁ ୧୦୮ଯୋଗେ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହ ପୁଲିସ ସଂପୃକ୍ତ ଯୁବକର ଘରଲୋକଙ୍କୁ ମଧ୍ୟ ଖବର ଦେଇଥିଲେ।