ଜମିବାଡ଼ି ଗଣ୍ଡଗୋଳ : ଯୁବକଙ୍କୁ ପିଟିପିଟି ମାରିଦେଲେ

ଦୁଇ ଗିରଫ, ପାଇକରାପୁରର ଉତ୍ତେଜନା

କବାଟବନ୍ଧ : ଜମି ଭାଗବଣ୍ଟାକୁ କେନ୍ଦ୍ରକରି ଗତକାଲି ରାତିରେ ଜେନାପୁର ଥାନା ରେଖିଦେଈପୁର ପଞ୍ଚାୟତ ପାଇକରାପୁର ଗ୍ରାମର ଜଣେ ଯୁବକଙ୍କୁ ବିରୋଧୀ ପକ୍ଷର କେତେକ ପିଟିପିଟି ହତ୍ୟା କରିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ହତ୍ୟାକାଣ୍ଡରେ ଜଡ଼ିତ ବିରୋଧୀ ପକ୍ଷର ଦୁଇଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଥିବା ଜଣାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ପାଇକରାପୁର ଗ୍ରାମର ସ୍ୱର୍ଗତ ହରି ମଲ୍ଲିକଙ୍କ ପୁଅ କାଳନ୍ଦୀ ମଲ୍ଲିକ (୪୨)ଙ୍କ ସହ ତାଙ୍କ ଦାଦା ଅର୍ଜୁନ ମଲ୍ଲିକଙ୍କ ପରିବାର ମଧ୍ୟରେ ଜମିଜମା ଭାଗବଣ୍ଟାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଏହି ବିବାଦ ଶନିବାର ଉଗ୍ରରୂପ ନେଇଥିଲା। ଶନିବାର ସନ୍ଧ୍ୟାରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଗ୍ରାମବାସୀ ହସ୍ତକ୍ଷେପ କରି ଘଟଣାର ସମାଧାନ କରାଇଥିଲେ। ପରିସ୍ଥିତି ଟିକିଏ ଶାନ୍ତ ପଡ଼ିଥିଲା। ମାତ୍ର ରାତି ପ୍ରାୟ ୯ଟା ବେଳେ ପୁଣି ବିବାଦ ଉପୁଜିଥିଲା। କଳନ୍ଦୀ ଏକ କୁରାଢି ଧରି ଦାଦା ଅର୍ଜୁନ ମଲ୍ଲିକଙ୍କ ଘରେ ପହଞ୍ଚି ପ୍ରବଳ ଗାଳି ଗୁଲଜ କରିଥିଲେ। ଏଥିରେ ଅର୍ଜୁନଙ୍କ ପରିବାର ଲୋକେ ଭୀଷଣ ଭୟଭୀତ ହୋଇପଡ଼ିଥିଲେ। ଘରଭିତରୁ କବାଟକିଳି ରହିଥିଲେ। ମାତ୍ର କାଳନ୍ଦୀ ଚୁପ୍‌ ହେବା ବଦଳରେ ବେଶି ଉଗ୍ର ହୋଇଉଠିଥିଲେ। ଅର୍ଜୁନଙ୍କ କବାଟକୁ କୁରାଢ଼ିରେ ହାଣିବାରୁ ସେମାନେ ଭୟଭୀତ ହୋଇ ବାଡ଼ିପଟ ଦେଇ ସମସ୍ତେ ଖସି ଯାଇଥିଲେ।

ସେମାନେ ଦଶମାଣ ଗ୍ରାମରେ ଥିବା ତାଙ୍କ ବନ୍ଧୁ ଘରକୁ ଯାଇ ଘଟଣା ସଂପର୍କରେ ଅବଗତ କରାଇବା ପରେ ସେମାନେ ମିଳିମିଶି ଘରକୁ ଫେରିଥିଲେ। ଦଶମାଣ ଗ୍ରାମରୁ ଅର୍ଜୁନଙ୍କ ସଂପର୍କୀୟ ଆସିବା ପରେ ସେମାନେ ଓ ଅର୍ଜୁନଙ୍କ ପରିବାର ସଦସ୍ୟ ୭/୮ ଜଣ ଲୋକ ଆସି ଏସଂପର୍କରେ କାଳନ୍ଦୀକୁ ପଚାରାଉଚରା କରିଥିଲେ। ପୁଣି ବଚସା ହୋଇଥିଲା। ଉତ୍ତ୍ୟକ୍ତ ଅର୍ଜୁନଙ୍କ ପରିବାର ଓ ସଂପର୍କୀୟ କାଳନ୍ଦୀଙ୍କୁ ମନଇଚ୍ଛା ଠେଙ୍ଗାବାଡି ଓ ଶାବଳରେ ପିଟି ଚାଲିଥିଲେ। ଶାବଳରେ ମୁଣ୍ଡକୁ ପିଟିବାରୁ ଘଟଣା ସ୍ଥଳରେ ହିଁ କାଳନ୍ଦୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କାଳନ୍ଦୀଙ୍କ ଶବ ସେଠାରେ ପଡ଼ି ରହିଥିବା ବେଳେ ହତ୍ୟାକାଣ୍ଡ ଘଟାଇବା ପରେ ଆସାମୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା।

ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଜେନାପୁର ପୁଲିସ ଭୋରୁ ଭୋରୁ ଘଟଣାସ୍ଥଳରେ ପହଞ୍ଚିଥିଲା। କାଳନ୍ଦୀଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ କାଳନ୍ଦୀଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଘଟଣା ସଂପର୍କରେ କାଳନ୍ଦୀଙ୍କ ବଡ଼ଭାଇ ବିନୋଦ ଜେନାପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୬୮/୧୭ ଦଫା ୧୪୭, ୧୪୮,୧୪୯ ଓ ୩୦୨ ବଳରେ ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ମଲ୍ଲିକ (୬୫) ଓ ଅର୍ଜୁନଙ୍କ ସଂପର୍କୀୟ ଦଶମାଣ ଗ୍ରାମର ଟୁଲିଆ ପ୍ରଧାନ (୨୫)କୁ ଆଜି ଗିରଫ କରିଛି। ଆସନ୍ତା କାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜେନାପୁର ଥାନା ଏସ୍‌ଆଇ ରମେଶ କୁମାର ସାହାଣି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ କାଳନ୍ଦୀ ନିଜ ଦୁଇବର୍ଷର ଝିଅକୁ ୭ ବର୍ଷ ତଳେ ତଣ୍ଟିଚିପି ହତ୍ୟା କରିବା ପରେ ଗଡ଼ିଆରେ ଫିଙ୍ଗି ଦେଇଥିଲା। ପରଦିନ ନିଜେ ହୋହଲ୍ଲା କରିଥିଲା। ମାତ୍ର ପୁଲିସ କାଳନ୍ଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସେ ଜେଲ୍‌ରେ ଥିଲା। ୬ ମାସ ଜେଲ୍‌ରେ ରହିବା ପରେ ଜାମିନରେ ଆସିଥିଲା। ଏବେ ଝିଅ ହତ୍ୟା ମାମଲା କୋର୍ଟରେ ବିଚାରାଧୀନ ରହିଛି। ସେବେଠାରୁ ସ୍ତ୍ରୀ ବି କାଳନ୍ଦୀଙ୍କୁ ଛାଡ଼ି ବାପ ଘରକୁ ଚାଲିଯାଇଛନ୍ତି।

ସମ୍ବନ୍ଧିତ ଖବର