ମିଲର-ଚାଷୀ ମୁହାଁମୁହିଁ

ଧାନ ଗାଡ଼ି ଅଟକ, ଶୀତ କାକରରେ ପଡ଼ିଛି ଚାଷୀ ଲକ୍ଷ ଲକ୍ଷ ଟଙ୍କା ଫାଇଦାରେ ସମବାୟ ସମିତି

ରତ୍ନଗିରି : ଦୁଇ ମାସ ହୋଇଗଲା ଧାନ ଚାଷୀଙ୍କର ନିର୍ଯାତନା ଶେଷ ନାହିଁ। ଏବେ ବି ଧାନ ବିକିବା ପାଇଁ ଚାଷୀମାନେ ବ୍ୟାକୁଳ ହେଉଥିବା ବେଳେ ସମବାୟ ସମିତି, ମିଲର୍ ଓ ଦଲାଲଙ୍କର ଆସାଧୁ ମେଣ୍ଟ ଚାଷୀଙ୍କୁ ନୟାନ୍ତ କରିବାରେ ଲାଗିଛନ୍ତି। ମଣ୍ତିରେ ଯେପରି ଚାଷୀମାନେ ଧାନ ନବିକି ଦଲାଲଙ୍କୁ ବିକିବେ ସେଥି ପାଇଁ ସବୁ ପ୍ରକାର କଳବଳ କୌଶଳ ଲଗାଇ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ତାଗିଦ,କୈଫିୟତ ଚିଠିପତ୍ରରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖିଛି। ଏପରିକି ଧାନ ଚାଷୀମାନଙ୍କ ପାଇଁ ସମବାୟ ସମିତି , ଆରଏମସି ଓ ଯୋଗାଣ ବିଭାଗ ରକ୍ଷକ ନାମରେ ଭକ୍ଷକ ସାଜିଛନ୍ତି। ମଣ୍ଡିକୁ ଧାନ ଆଣୁଥିବା ଚାଷୀ ରାତି ଅନିଦ୍ରା ହୋଇ ଶୀତ କାକରରେ ଖୋଲା ଆକାଶ ତଳେ ଧାନ ଜଗି ରହିବାକୁ ପଡୁଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଦୁଇ ମାସ ହେଲା ଲାଗି ରହିଥିବା ଅସନ୍ତୋଷ ଏବେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଆଜି ଚାଷୀମାନେ ଅମଠପୁର ସମବାୟ ସମିତିରେ ଇଷ୍ଟର୍ଣ୍ଣ ରାଇସ ମିଲ୍ ଗାଡ଼ିକୁ ଅଟକାଇ ଘେରାଉ କରିଥିଲେ। ସମବାୟ ସମିତି ରାଇସ୍ ମିଲ୍ ନାମରେ ଖସିଯିବାକୁ ବସିଥିବା ବେଳେ ଉତ୍ତ୍ୟକ୍ତ ଚାଷୀ ମିଲର୍ ଗାଡ଼ିକୁ ଅଟକାଇଥିଲେ। ସମବାୟ ସମିତିରେ ବସ୍ତା ବସ୍ତା ଧାନ ଗଦା ହୋଇଛି। ଆଜି ସକାଳୁ ଗାଡିରେ ଧାନ ଆଣି ଭୋକ ଉପାସରେ ମଣ୍ତି ରେ ଧାନକୁ ଜଗିଥିବା ଚାଷୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି। ଇଣ୍ଟର୍ଣ୍ଣ ମିଲ୍ ର କର୍ମଚାରୀ ଗୋଟିଏ ଗାଡିରେ ଧାନ ଲୋଡ୍ କରି ପଳାଇ ଯାଉଥିବା ବେଳେ ବାକି ଚାଷୀମାନେ ଘେରାଉ କରି ଗାଡ଼ି ଅଟକ ରଖିଥିଲେ। ସୂଚନା ଯୋଗ୍ୟ ମଣ୍ତିରେ ଆଜି ଧାନ କ୍ରୟ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

ପଞ୍ଜିକୃତ ୩୦ଜଣ ଚାଷୀଙ୍କୁ ସମବାୟ ସମିତି ପକ୍ଷରୁ ଟୋକନ୍ ପ୍ରଦାନ କରାଯାଇଥିଲା। ଟୋକନ୍ ପାଇଥିବା ଚାଷୀମାନେ ସକାଳୁ ଭଡା ଗାଡିରେ ଧାନ ଆଣି ମଣ୍ତି ଆଗରେ ଜମା କରିଥିଲେ। ସମବାୟ ସମିତି ସଂପାଦକଙ୍କ କହିବାନୁସାରେ ଆଜି ୬୦୦ କ୍ବିଣ୍ଟାଲ୍ ଧାନ କିଣିବା ପାଇଁ ଚାଷୀମାନଙ୍କୁ ଟୋକନ୍ ଦିଆଯାଇଥିଲା। ୩ ଗାଡି ପଠାଇବା ପାଇଁ ମିଲର୍ ସମ୍ମତି ପ୍ରଦାନ କରିଥିଲେ। ପୂର୍ବାହ୍ନ ୧୧ଘଟିକା ସମୟରେ ମିଲର ‌ଗୋଟିଏ ଟ୍ରକ୍ ପଠାଇଥିଲେ। ଏଥିରେ ମାତ୍ର ୯ଜଣ ଚାଷୀଙ୍କର ୨୨୩ କ୍ବିଣ୍ଟାଲ୍ ଧାନ ଲୋଡ଼ ହୋଇଥିଲା। ବାକିଥିବା ୩୭୭କ୍ବିଣ୍ଟାଲ ଧାନ ମଣ୍ତି ଆଗରେ ପଡିରହିଥିବା ବେଳେ ଉକ୍ତ ଧାନକୁ ଜଗିରହିଛନ୍ତି ଚାଷୀ। ମଣ୍ତିକୁ ଆସିଥିବା ଇଷ୍ଟର୍ଣ୍ଣ ରାଇସ୍ ମିଲ୍ କର୍ମଚାରୀ ଜଣକ ରୋକ୍ ଠୋକ୍ ଭାବେ ଆଜି ଆଉ ଗାଡି ଆସିପାରିବ ନାହିଁ ବୋଲି ନାସ୍ତିବାଣୀ ଶୁଣାଇଥିଲେ। ସକାଳୁ ଆସି ଧାନ ଜଗି ରହିଥିବା ଚାଷୀମାନେ କର୍ମଚାରୀ ସହିତ ଯୁକ୍ତିତର୍କ କରିବା ସହ ଲୋଡ୍ ହୋଇଥିବା ଗୋଟିଏ ଟ୍ରକକୁ ନଛାଡିବା ପାଇଁ ଜିଦ୍ ଧରିଥିଲେ। ଚାଷୀ ପ୍ରଭାକର ଘଡାଇ, ଅକ୍ଷୟ କୁମାର ଜେନା, କୈଳାସ ମଲିକ, ଦଶରଥ ଜେନା, ଗୋପିନାଥ ଦାସ, ରାମଚନ୍ଦ୍ର ଶାନ୍ତି, ବିଜୟ କୁମାର ସେଠୀ ପ୍ରମୁଖ କହିବା ସହ ଟ୍ରକ ଆଗରେ ପାଲ ପକାଇ ଧାରଣରେ ବସିଥିଲେ। ବୁଝାବୁଝି ପରେ ପରିସ୍ଥିତି ଶାନ୍ତ ହୋଇଛି। ଧାନ ଗାଡ଼ିକୁ ଚାଷୀମାନେ ଛାଡ଼ି ଦେଇଛନ୍ତି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତାଙ୍କୁ ପଚାରିବାରୁ ମିଲର୍ ଙ୍କୁ ସେ କଡା ତାଗିଦ୍ କରାଯାଇଛି। ଆସନ୍ତା କାଲି ଉକ୍ତ ମଣ୍ତିକୁ ୨ଗୋଟି ଗାଡି ପଠାଯିବ ବୋଲି ମିଲର୍ କହିଛନ୍ତି। ‌ତେବେ ଏଠାରେ ପ୍ରଶ୍ନ ଉଠୁଛି ଚାଷୀଙ୍କ ଠାରୁ ସମବାୟ ସମିତି ଧାନ କିଣି ୩ଦିନ ସୁରକ୍ଷିତ ରଖିବା ପାଇଁ କ୍ବିଣ୍ଟାଲ ପ୍ରତି ୪୩ଟଙ୍କା ପାଉଛି। ତେଣୁ ‌ସମବାୟ ସମିତି କରୁଛି କଣ ବୋଲି ପ୍ରଶ୍ନ ଉଠୁଛି। ଚାଷୀ ଓ ମିଲରଙ୍କୁ ସମବାୟ ସମିତି ମୁହାଁମୁହିଁ କରି ବେଶ ଫାଇଦା ନେଉଛି। ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ନିରବତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର