ନାବାଳକର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋରେଇ/ବୈତରଣୀରୋଡ଼ : କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡାଇ କଲ୍ୟାଣ ମଣ୍ଡପ ନିକଟରେ ଥିବା ମହାଲକ୍ଷ୍ମୀ ମାର୍ବଲ ଏଣ୍ଡ୍‌ ଫର୍ଟିଲାଇଜର ଦୋକାନ ଉପର ମହଲାରୁ ଆଜି ଅପରାହ୍‌ଣରେ ଜଣେ ନାବାଳକର ମୃତ ଦେହ ଉଦ୍ଧାର କରାଯାଇଛି। ଦୋକାନ ଉପର ମହଲାର ଝରକାରେ ବନ୍ଧା ହୋଇଥିବା ଅବସ୍ଥାରେ ବାଳକର ମୃତ ଦେହ ମିଳିଥିଲା। ମୃତ ବାଳକ ମକୁନ୍ଦପୁର ପଞ୍ଚାୟତ କଡ଼ମିଅାଁ ଗ୍ରାମର ବେଣୁଧର ଗୁରୁଙ୍କ ପୁଅ ଜିତେନ୍ଦ୍ର(୧୧) ବୋଲି ସ୍ଥାନୀୟ ଲୋକେ ଚିହ୍ନଟ କରିଛନ୍ତି। ଉଲଗ୍ନ ଅବସ୍ଥାରେ ଜିତେନ୍ଦ୍ର ଏକ ଗାମୁଛାରେ ବନ୍ଧା ହୋଇ ଝରକାରେ ଝୁଲୁଥିଲା। ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ କେହି ଯୋଜନା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ମୃତଦେହର ୫ ଶହ ମିଟର ଦୂରରେ ଥିବା ଏକ ଦୋକାନ ନିକଟରୁ ଜିତେନ୍ଦ୍ରର ପ୍ୟାଣ୍ଟ୍‌,ସାର୍ଟକୁ ପୁଲିସ୍‌ ଜବତ କରିଛି। ଜିତେନ୍ଦ୍ରର ବାପା ବେଣୁଧର ଦ୍ୱିତୀୟ ବିବାହ କରିବା ପରେ ପିଲାଟି ଛକ ବଜାରରେ ବୁଲି ଲୋକମାନଙ୍କ ଛୋଟମୋଟ କାମ କରୁଥିଲା। କୋରେଇ ଥାନାଧିକାରୀ ଚିନ୍ମୟୀ ସାହୁଙ୍କ ନିର୍ଦେଶରେ ଏସ୍‌ଆଇ ଅଜୟ କୁମାର ସ୍ୱାଇଁ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ପଠାଇଛନ୍ତି। ଅନ୍ୟପକ୍ଷରେ ପୁଲିସ୍‌ ଜନୈକ ପାନ ଦୋକାନୀ ଓ ନିକଟସ୍ଥ ଦଳିତ ବସ୍ତିର ପିଲାମାନଙ୍କୁ ପଚରାଉଚୁରା ଜାରି ରଖିଛି।

ସମ୍ବନ୍ଧିତ ଖବର