ଦୁର୍ଘଟଣା ବଢ଼ୁଛି, କର୍ତୃପକ୍ଷ ନିରବ:ଖାଲଖମାରେ ଭର୍ତ୍ତି ଜାତୀୟ ରାଜପଥ

ଚଣ୍ଡିଖୋଲ : ଜାତୀୟ ରାଜପଥ ଏବେ ଖାଲଖମାରେ ଭର୍ତ୍ତି ହୋଇଯାଇଛି। ବିଭାଗୀୟ କର୍ତୃପକ୍ଷ ଏହାକୁ ପୋତିବା ପାଇଁ ପଦକ୍ଷେପ ନେଉ ନଥିବାରୁ ଏଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଭଳି ଅବସ୍ଥା ଚଣ୍ଡିଖୋଲ ଛକ ଓ ବାଲିଚନ୍ଦ୍ରପୁର ଅଞ୍ଚଳର କେତେକ ସ୍ଥାନରେ ଦେଖିବାକୁ ମିଳିଛି। ଚଣ୍ଡିଖୋଲ-ଡୁବୁରି ୫୩ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ପାଖ ରାସ୍ତା କଡ଼ରେ ଦୀର୍ଘ ଦିନ ହେଲା ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହା କଡ଼ରେ ଯାଉଥିବା ଗାଡ଼ିମୋଟର ଅଧିକାଂଶ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସେହିପରି ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧିଛକ ଗୋଲେଇ ବାଇପାସ୍‌ ରାସ୍ତା ମଝିରେ ମଧ୍ୟ ବର୍ଷେ ହେଲା ଦୁଇଟି ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଛକ ଦେଇ ଯାତାୟାତ କରୁଥିବା ଗାଡ଼ିମୋଟର୍‌ ବଡ଼ ଗର୍ତ୍ତ ଭିତରେ ପଡ଼ି ଜଖମ ହେଉଥିବା ବେଳେ ବାଇକ୍‌ ଓ ସାଇକଲ ଆରୋହୀ ଗର୍ତ୍ତ ଭିତରେ ପଡ଼ି ଆହତ ହେଉଛନ୍ତି।

ଜାତୀୟ ରାଜପଥର ଏକ ପ୍ରମୁଖ ଛକରେ ଏଭଳି ଦୁଇଟି ଗର୍ତ୍ତ ପୋତିବା ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ସେହିପରି ୧୬ ନଂ (କ) ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ତାରିଣୀ ଛକ ବାଇପାସ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଯାଇଛି। ତାରିଣୀ ଛଖ ନିକଟରେ ଗୋଟିଏ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତ ବିପଦ ସଂକୁଳ ହୋଇପଡ଼ିଛି। ଅନ୍ୟପକ୍ଷରେ ଚଣ୍ଡିଖୋଲ ନିକଟସ୍ଥ ସୁଭଦ୍ରାପୁର ରେଲେଓ୍ଵ ବ୍ରିଜ୍‌ ବାଡ଼ ଦୁଇପଟ ଭାଙ୍ଗିରୁଜି ବିପଦ ସୃଷ୍ଟି କରୁଛି। ସେହିପରି ୧୬ ନଂ (କ) ଜାତୀୟ ରାଜପଥର ବିରୂପା ନଦୀରେ ଥିବା ବି୍ରଜ୍‌ ଉପର ଦୁଇପଟ ପାଦ ଚଲା ରାସ୍ତାରେ ସ୍ଲାବ୍‌ ନଥିବାରୁ ପଥଚାରୀଙ୍କ ପାଇଁ ପୋଲଟି ବିପଦ ସଂକୁଳ ହୋଇପଡ଼ିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାସ୍ତା ଘାଟ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଚଣ୍ଡିଖୋଲ ଓ ବାଲିଚନ୍ଦ୍ରପୁର ଅଞ୍ଚଳରେ ଜାତୀୟ ରାଜପଥ ଅବସ୍ଥା ଏଭଳି ଶୋଚନୀୟ ଅବସ୍ଥା କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ତୁରନ୍ତ ଏହି ରାସ୍ତାକୁ ମରାମତି କରିବାକୁ ଚଣ୍ଡିଖୋଲ ଅସ୍ଥାୟୀ ବ୍ୟବସାୟୀ ସଂଘ ସମ୍ପାଦକ ସଂଜୟ କୁମାର ସ୍ୱାଇଁ, ସେକ୍‌ ମସୀର ଆଲାମ, ବାଲିଚନ୍ଦ୍ରପୁର ସରପଞ୍ଚ ଫନିନ୍ଦ୍ର ନାଥପଣ୍ଡା, ସମିତିସଭ୍ୟ ଅମୀୟ ବିଶ୍ୱାଳ, ଅନନ୍ତ ସିଂହ, ଭାଗଗ୍ରାହୀ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର