ପୁଣି ଅଲୋଡ଼ା କନ୍ୟାରତ୍ନ :କଳମ ବୁଦାରୁ ଶିଶୁକନ୍ୟା ଉଦ୍ଧାର

ଧର୍ମଶାଳା : ପୁଣି ଅଲୋଡ଼ା ହେଲା କନ୍ୟାରତ୍ନ। କେହି ନିର୍ଦୟା ମା’ ଜନ୍ମିତ ସଦ୍ୟଜାତ ଶିଶୁକନ୍ୟାକୁ ମାଟି ହାଣ୍ଡିରେ ପୂରାଇ କଳମ ବୁଦାରେ ଫିଙ୍ଗି ଦେଇଛି। ଆଜି ସକାଳେ ଏହି ଘଟଣା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ଅନ୍ତର୍ଗତ ସାଲେପୁର ଗାଁରେ।
ଆଜି ସକାଳ ପ୍ରାୟ ୬ଟାରେ ଗ୍ରାମର କୁଶ ସେଠୀଙ୍କ ପତ୍ନୀ ନୟନା ଘର ନିକଟ ଗଡ଼ିଆକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଗଡ଼ିଆ ବନ୍ଧରେ ଥିବା କଳମ ବୁଦାରେ ଛୋଟ ଛୁଆ କାନ୍ଦ ଶୁଣିବାକୁ ପାଇଥିଲେ। ସେ ଘଟଣାସ୍ଥଳକୁ ଯାଇ ଦେଖିବାକୁ ପାଇଲେ ଯେ ମାଟିହାଣ୍ଡିରେ ପଶିଥିବା ଏକ ସଦ୍ୟଜାତ ଶିଶୁକନ୍ୟା କାନ୍ଦୁଛି। ଖବର ବିଜୁଳି ବେଗରେ ପ୍ରସାରିତ ହୋଇଯିବା ପରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇ ଯାଇଥିଲା। ସ୍ଥାନୀୟ ଏଏନ୍‌ଏମ୍‌ ଓ ଆଶାକର୍ମୀ ପହଞ୍ଚିବା ସହିତ ଜିଲ୍ଳା ଶିଶୁ ସୁରକ୍ଷା ସମିତିକୁ ଖବର ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷୁ ଶିଶୁଟିକୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର ମାନସରଂଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଏମିତି ଏକ ଘଟଣା କ୍ରମରେ ଗତବର୍ଷ ଧର୍ମଶାଳା ବ୍ଲକ୍‌ ଅଂଜିରା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରେ ଏକ ଖତ ଗଦାରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ଜିଲ୍ଲା ପ୍ରଶାସନ ପୋଷ୍ୟକନ୍ୟା କରି ନେଇଥିଲା।

ଏହିକଥା ମନରୁ ନଯାଉଣୁ ଧର୍ମଶାଳାରେ ଆଉ ଏକ ଶିଶୁ କନ୍ୟା ଆଜି କଳମ ବୁଦାରୁ ଉଦ୍ଧାର ହେବା ଘଟଣା ପୁଣି ଭିନ୍ନ ଏକ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଡାକ୍ତରଖାନାର କର୍ମଚାରୀମାନେ ଉଦ୍ଧାର ହୋଇଥିବା ଶିଶୁକ କନ୍ୟାକୁ ବସୁଧା ନାମରେ ନାମ କରଣ କରିଛନ୍ତି। ଅଧିକ ଝିଅ ଜନ୍ମ ଦେଇଥିବା ବାପ ମାଆ କିମ୍ବା କୁମାରୀ ମା ନିଜ ଜନ୍ମିତ ଶିଶୁ କନ୍ୟାକୁ ଏଠାରେ ରଖି ଦେଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି। ବସୁଧାକୁ ପୋଷ୍ୟ କନ୍ୟା କରି ନେବା ପାଇଁ କେତେକ ନିଃସନ୍ତାନ ଦମ୍ପତି ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପରବର୍ତୀ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ସିଡବ୍ଲ୍ୟୁସିର ଅଧିକାରୀ ସୂଚନା ଦେଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ମିହିର କୁମାର ଜେନା, ପଦ୍ମଚରଣ ସାମନ୍ତରାୟ, ରବୀନ୍ଦ୍ର ନାଥ ସେଠୀ ପ୍ରମୁଖ ବସୁଧାକୁ ଯାଜପୁର ନେଇ ଆସିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଘଟଣା ସଂପର୍କରେ ଡାକ୍ତରଖାନା ଓ ସିଡବ୍ଲୁସି ପକ୍ଷରୁ ଥାନାରେ ପୃଥକ ପୃଥକ ଭାବେ ଏତଲା ଦିଆଯାଇଛି।

ସମ୍ବନ୍ଧିତ ଖବର