କାରଖାନା ରାସ୍ତାକୁ ବିରୋଧ

ଦାନଗଦୀ: କଳିଙ୍ଗନଗରସ୍ଥିତ ଇମାମି ସିମେଣ୍ଟ କାରଖାନା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟକୁ ଜମିହରା ଚାଷୀମାନେ ବିରୋଧ କରିଛନ୍ତି। ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରି କ୍ଷତିଗ୍ରସ୍ତ ଚାଷୀମାନେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ିଗୁଡ଼ିକୁ ଫେରାଇ ଦେଇଥିଲେ। ଫଳରେ ରାସ୍ତା କାମ ବନ୍ଦ ରହିଛି।
କଳିଙ୍ଗନଗରସ୍ଥିତ ଇମାମି ସିମେଣ୍ଟ କାରଖାନାର ରାସ୍ତା ନିମନ୍ତେ ପଙ୍କପାଳ ପଞ୍ଚାୟତର ଅସନବାହାଳି ଓ ମାନତିରା ପଞ୍ଚାୟତର ମାନତିରା ଗ୍ରାମବାସୀ ଜମି ହରାଇଥିଲେ। ଦୁଇ ଗ୍ରାମର ୧୪ ପରିବାର ଇନ୍ଦିରା ଗାନ୍ଧୀଙ୍କ ସମୟରେ ୫ ଏକର ଲେଖାଏଁ ଜମିର ପଟ୍ଟା ପାଇଥିଲେ। ସେଠାରେ ସେମାନେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ଏହି ଜମି ଉପରେ ଚାଷୀମାନେ ଋଣ ମଧ୍ୟ ନେଇଛନ୍ତି। ଏବେ ସେହି ଜମି ଉପରେ ଇଡ୍‌କୋ ପକ୍ଷରୁ ସିମେଣ୍ଟ୍‌ କାରଖାନାକୁ ରାସ୍ତା ନିର୍ମାଣ କରାଯାଉଛି। କ୍ଷତିପୂରଣ ବାବଦକୁ ଶାଗ ମାଛ ଦରରେ ୩ରୁ ୪ଲକ୍ଷ ଟଙ୍କା ଦେବା ପାଇଁ କମ୍ପାନି ଓ ଇଡ୍‌କୋ କର୍ତ୍ତୃପକ୍ଷ ଯୋଜନା କରି ଆଲୋଚନା କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସରକାରୀ ନିୟମ ମୁତାବକ ଏକର ପିଛା ୫ରୁ ୬ ଲକ୍ଷ ଟଙ୍କା ନ ମିଳିଲେ ସେମାନେ ଜମି ଛାଡ଼ିବେ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଛନ୍ତି। ଏହି ଦାବି ନେଇ ୧୫ଦିନ ତଳେ ଗ୍ରାମବାସୀ ରାସ୍ତା ନିର୍ମାଣକୁ ବିରୋଧ କରିଥିଲେ। ଏହାପରେ ଗ୍ରାମବାସୀ ଓ ଇଡ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ଏଥିରୁ କୌଣସି ସୁଫଳ ମିଳି ନ ଥିଲା। ଏହାସତ୍ତ୍ୱେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରୁ ଅସନବାହାଳି ଗ୍ରାମର ଲକ୍ଷ୍ମଣ ପାଇକ, ନିଧି ବେହେରା, ଅଇଁଠୁ ପାଇକ, ନେତ୍ର ବେହେରା, କ୍ଷେତ୍ର ବେହେରା, ହରେକୃଷ୍ଣ ବେହେରା, ମଖି ପାଇ, ବଇ ବେହେରା, କରୁଣ ପାଇକ, ମାନତିରା ଗ୍ରାମର ନାଣ୍ଡୁ ପାଇ, କିର୍ତନ ଦେହୁରୀ, ଯୋଗୀ ବେହେରା, ମକର ବେହେରା, ଶଙ୍କର ବେହେରା ପ୍ରମୁଖ ଜମିହରା ୧୪ ପରିବାର କାର୍ଯ୍ୟରେ ନିୟୋଜିତ ଗାଡ଼ିଗୁଡ଼ିକୁ ଫେରେଇ ଦେଇଥିଲେ। ଫଳରେ ତିନିଦିନ ଧରି ରାସ୍ତା କାମ ବନ୍ଦ ରହିଛି। ଅପରପକ୍ଷରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ କଂଗ୍ରେସ ଦଳ ସଜବାଜ ହେଉଥିବା ସୂଚନା ମିଳିଛି। ଅଞ୍ଚଳରେ ବହୁ ବଡ଼ବଡ଼ ନେତା ଜଙ୍ଗଲ ଜମିରେ ଘର ନିର୍ମାଣ କରିଛନ୍ତି। ପ୍ରଶାସନ ପ୍ରଥମେ ସେମାନଙ୍କ ଘର ଭାଙ୍ଗୁ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର