ଲାଞ୍ଚ ନେଇ ଆର୍‌ଆଇ ଗିରଫ

ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ କାର୍ଯ୍ୟରତ ଜଣେ ରାଜସ୍ୱ ନୀରିକ୍ଷକ (ଆର୍‌ଆଇ) ଆଜି ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଦାଖଲ ଖାରଜ ମାମଲାର ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଗିରଫ କରିବା ସହିତ ତାଙ୍କ ବାସଭବନରେ ଚଢ଼ାଉ କରିଛି। ଏହାପୂର୍ବରୁ ଆଉଜଣେ ଆର୍‌ଆଇ ଲାଞ୍ଚ ନେଇ ଧରାପଡ଼ିଥିଲେ।

ଗିରଫ ଆର୍‌ଆଇ ହେଲେ ବାସୁଦେବ ସାହୁ। ସେ ଏହି ତହସିଲ୍‌ ଅନ୍ତର୍ଗତ ଆରୁହା ସର୍କଲରେ କାର୍ଯ୍ୟ କରୁଥିଲେ। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ସାହୁ ଦାଖଲ ଖାରଜ (ମ୍ୟୁଟେସନ୍‌) ମାମଲାର ରିପୋର୍ଟ ଦେବା ପାଇଁ ଜେନାପୁର ଥାନା ଅନ୍ତର୍ଗତ ପାରିଖେତ ଗ୍ରାମର ଚିନ୍ମୟ ପାତ୍ରଙ୍କ ଠାରୁ ୪ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ରିପୋର୍ଟ ଦେବେ ନାହିଁ ବୋଲି କହିଥିଲେ। ଫଳରେ, ଚିନ୍ମୟ ଭିଜିଲାନ୍‌ସ ଦ୍ଵାରସ୍ଥ ହୋଇଥିଲେ।

ଆଜି ପୂର୍ବ ଯୋଜନା ଅନୁସାରେ ଚିନ୍ମୟ ଅଫିସ୍‌ରେ ପହଞ୍ଚି ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କ ଠାରୁ ଟଙ୍କା ଉଦ୍ଧାର କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ଏଥିସହିତ, ଯାଜପୁରଟାଉନସ୍ଥିତ ଗୋଖନାରେ ଥିବା ତାଙ୍କ ବାସଗୃହରେ ଭିଜିଲାନ୍‌ସ ବିଭାଗ ଚଢ଼ାଉ କରିଥିଲା। ଖବର ଲେଖା ହେବା ସୁଦ୍ଧା ଭିଜିଲାନ୍‌ସ ଇନିସ୍‌ପେକ୍ଟର ଅନସୂୟା ସେନାପତି ଓ କେନ୍ଦ୍ରାପଡ଼ା ଭିଜିଲାନ୍‌ସ ଇନିସ୍‌ପେକ୍ଟର ବିଜୟ କୁମାର ସେଠୀଙ୍କ ନେତୃତ୍ଵରେ ଚଢ଼ାଉ ଜାରି ରହିଛି।

ମାସକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ଧର୍ମଶାଳା ତହସିଲ ଅନ୍ତର୍ଗତ ଶ୍ରୀନଗର ସର୍କଲ ଆର୍‌ଆଇଙ୍କୁ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଗରିଫ କରିଥିଲା। ଧର୍ମଶାଳା ତହସିଲର ବିଭିନ୍ନ ସର୍କଲରେ ହେଉଥିବା ଅନିୟମିତତାର ଅତିଷ୍ଠ ହୋଇ ସାଧାରଣ ଲୋକ ଭିଜିଲାନ୍‌ସର ଦ୍ଵାରସ୍ଥ ହେବା ଏହି ଦୁଇଟି ଘଟଣାରୁ ସ୍ପଷ୍ଟ ହୋଇଛି। ଯାହାକୁ ନେଇ ଚର୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର