ବ୍ୟାସନଗରରେ ସଶସ୍ତ୍ର ଡକାୟତି : ଲୁଟିନେଲେ ସୁନା ଗହଣା

ବ୍ୟାସନଗର : ବ୍ୟାସନଗରରେ ଘଟିଛି ସଶସ୍ତ୍ର ଡକାୟତି। ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ସୋବରା ଗ୍ରାମର ହରିହର ଦାସ ଓ ପରମେଶ୍ୱର ଦାସ ଦୁଇ ଭାଇଙ୍କ ଘରେ ପଶି ଗହଣାଗାଣ୍ଠି ଲୁଟି ନେଇଛନ୍ତି। ଡକାୟତି ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ହରିହର(୩୪), ପରମେଶ୍ୱର(୩୨) ଓ ପଡ଼ୋଶୀ ବିଶ୍ୱନାଥ ସାହୁ(୨୯) ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିି କରାଯାଇଥିଲା। ମାତ୍ର ହରିହରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ପ୍ରତିରୋଧ କରିବାରୁ ହରିହରଙ୍କ ସ୍ତ୍ରୀ ଅଞ୍ଜଳି ଓ ପରମେଶ୍ୱରଙ୍କ ସ୍ତ୍ରୀ ବକଟି ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ଛାତ ଉପରେ ଚଢ଼ି ପରମେଶ୍ୱରଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ଶାବଳରେ ଛାତ ସିଡ଼ିଘର କବାଟ ଭାଙ୍ଗି ୫ ଜଣ ଡକାୟତ ପରମେଶ୍ୱରଙ୍କ ଘରେ ପଶିଥିଲେ। ବାହାରେ ଦୁଇ ତିନି ଜଣ ଦୁର୍ବୃତ୍ତ ଜଗି ରହିଥିବା ବେଳେ ଡକାୟତମାନେ ସମସ୍ତେ ମୁହଁରେ କଳା କପଡ଼ା ବାନ୍ଧିଥିଲେ। ପରମେଶ୍ୱରଙ୍କ ଘରେ ପଶି ଯିବା ପରେ ଦୁର୍ବୃତ୍ତମାନେ ଲୁହା ଆଲମିରା ଭାଙ୍ଗି ଗୋଟିଏ ସୁନାମୁଦି, ଗୋଟିଏ ହାର, ଗୋଟିଏ ଚେନ୍‌, ଗୋଟିଏ ଲକେଟ୍‌, ଗୋଟିଏ ମଙ୍ଗଳସୂତ୍ର, ହଳେ କାନଫୁଲ ଓ ରୂପା ପାଉଁଜି ଲୁଟି ନେଇଥିଲେ।

ହରିହରଙ୍କ ଘରୁ ଦୁର୍ବୃତ୍ତ ଦୁଇଟି ସୁନା ହାର, ମଙ୍ଗଳସୂତ୍ର, ଚେନ୍‌, ତିନୋଟି ମୁଦି, ଦୁଇ ହଳ କାନଫୁଲ, ଶାଙ୍ଖି ଦୁଇହଳ, ଛୁଆଙ୍କ ଚେନ୍‌ ଓ ରୂପା ପାଉଁଜି ନେଇଯାଇଥିଲେ। ଏହି ସମୟରେ ହରିହର ଓ ପରମେଶ୍ୱରଙ୍କ ପରିବାର ଲୋକେ ପ୍ରତିରୋଧ କରିବାକୁ ଦୁର୍ବୃତ୍ତମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପାଟି ଶୁଣି ପଡ଼ୋଶୀ ବିଶ୍ୱନାଥ ସାହୁ ଘରୁ ବାହାରି ଆସିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ବିଶ୍ୱନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବାମ ହାତ ଭାଙ୍ଗି ଯାଇଛି ଓ ବାମ ଗୋଡ଼ ମଧ୍ୟ ଜଖମ ହୋଇଛି। ଦୁର୍ବୃତ୍ତମାନେ ଅନ୍ୟ ଜଣେ ପଡ଼ୋଶୀ ରବୀନ୍ଦ୍ର ବାରିକଙ୍କ କବାଟ ଭାଙ୍ଗିଥିଲେ ମଧ୍ୟ କୌଣସି ଜିନିଷ ନେଇପାରିନାହାଁନ୍ତି। ରାଣୀପଡ଼ା ସରପଞ୍ଚ ସୁରେଶ କୁମାର ଦାସ ପହଞ୍ଚି ଉଭୟ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ଅଭିଯୋଗ ହେବା ପରେ ଯାଜପୁରରୋଡ଼ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତମାନଙ୍କ ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର