ଗଣ୍ତିଆଖାଇ ଘାଟରୁ ବେଆଇନ୍‌ ବାଲି ଉଠାଣ

କୋରେଇ: କୋରେଇ ବ୍ଲକ୍‌ ତାରାକୋଟ୍‌ ରାଜସ୍ବ ସର୍କଲ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତ ଗଣ୍ତିଆଖାଇ ଘାଟରୁ ବେଆଇନ୍‌ ଭାବେ ବାଲି ଉତ୍ତୋଳନ କରାଯାଉଛି। ପ୍ରତିଦିନ ଶହଶହ ଟ୍ରକ୍‌ ବାଲି ଚୋରା ଚାଲାଣ କରି ବାଲି ମାଫିଆମାନେ ମାଲାମାଲ୍‌ ହେଉଛନ୍ତି। ଏହି ବେଆଇନ୍‌ ବାଲି ପରିବହନ ପାଇଁ ରାସ୍ତାଘାଟ ନଷ୍ଟ ହେଉଥିବା ବେଳେ ରାଜକୋଷକୁ ଗୋଟିଏ ଟଙ୍କାର ରାଜସ୍ବ ଯାଉନାହିଁ। ଅଭିଯୋଗ ଅନୁଯାୟୀ କୋରେଇ ବ୍ଲକ୍‌ର ସାଆଁଳା, ମକୁନ୍ଦପୁର ଓ ବରପଦା ବାଲିଘାଟ ସରକାରୀ ଭାବେ ନିଲାମ କରାଯାଇଛି। ହେଲେ ମକୁନ୍ଦପୁର ଘାଟ ଠାରୁ ମାତ୍ର କିଛି ଦୂରରେ ଥିବା ଗଣ୍ତିଆଖାଇ ଘାଟ କାହାରିକୁ ନିଲାମ ଦିଆଯାଇନାହିଁ। ଏହି ବେଆଇନ୍‌ ବାଲିଘାଟରୁ ବାଲି ମାଫିଆମାନେ ପ୍ରତିଦିନ ଶହଶହ ଟ୍ରକ୍‌ ବାଲି ଚୋରା ଚାଲାଣ କରୁଛନ୍ତି। ନିଲାମ ହୋଇନଥିବା ଏହି ଘାଟରୁ ବିନା ଆର‌୍‌ ଫର୍ମରେ ବାଲି ଚାଲାଣ ହେଉଥିଲେ ମଧୢ ରାଜସ୍ବ ବିଭାଗ ଆଖିବୁଜି ଦେଇଛି। କେବଳ ସେତିକି ନୁହେଁ ବାଲି ବୋଝେଇ ଗାଡ଼ି ଚଳାଚଳ ଫଳରେ ମକୁନ୍ଦପୁର ଠାରୁ ବରୁଣ୍ତାଇ ପର୍ଯ୍ୟନ୍ତ ରାସ୍ତା ମଧୢ ବିପର୍ଯ୍ୟସ୍ତ ହୋଇପଡିଛି। ସ୍ଥାନୀୟ ଲୋକେ ବିପର୍ଯ୍ୟସ୍ତ ରାସ୍ତା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ବରୁଣ୍ଡାଇ ପଞ୍ଚାୟତର ଖଜୁରୀନାଲୁଆ ଛକରେ ବାଲିଗାଡ଼ି ଠାରୁ ବେଆଇନ୍‌ ଭାବେ ଚାନ୍ଦା ଆଦାୟ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏସବୁ ଦିନ ଦ୍ବିପ୍ରହରରେ ଖୋଲାଖୋଲି ଭାବରେ ଚାଲିଥିଲେ ମଧୢ ପୁଲିସ୍‌ ପ୍ରଶାସନ ଓ ରାଜସ୍ବ ବିଭାଗ ଏଥିପ୍ରତି ନିରବ ରହିଛି। ତାରାକୋଟ୍‌ ରାଜସ୍ବ ନିରୀକ୍ଷକ ବିଷ୍ଣୁଚରଣ ପଣ୍ତାଙ୍କୁ ପଚାରିବାରୁ ବେଆଇନ୍‌ ବାଲି ଚାଲାଣକୁ ସ୍ବୀକାର କରିବା ସହ ଅଭିଯୋଗ ସମ୍ପର୍କରେ ବ୍ୟାସନଗର ତହସିଲଦାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି। କିଛିଦିନ ତଳେ ଏହି ଘାଟରୁ ୫ଟି ଟ୍ରାକ୍ଟରକୁ ରାଜସ୍ବ ବିଭାଗ ଜବତ କରି କେବଳ ଜରିମାନା ଆଦାୟ କରି ଛାଡ଼ିଦେଇଥିଲା। ଏଠାରୁ ବାଲି ଉଠାଣ କରୁଥିବା ଲୋକଙ୍କ ସହ ଶାସକ ଦଳର କେତେକ ବଡ଼ପଣ୍ଡାଙ୍କ ସମ୍ପର୍କ ଥିବାରୁ ପୁଲିସ୍‌ ଓ ରାଜସ୍ବ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ କରୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର