ଅଦିନିଆ ସ୍କୁଲ୍‌ ଛୁଟିକୁ ନେଇ ଅସନ୍ତୋଷ

କାଳିଆପାଣି: ସୁକିନ୍ଦା ବ୍ଲକ୍‌ର ସମସ୍ତ ବିଦ୍ୟାଳୟ ଆଜି ଖୋଲା ରହିଥିଲା ବେଳେ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ସୌରିକ ହାଇସ୍କୁଲ୍‌ ବନ୍ଦ୍‌ ରହିଥିଲା। ହାଇସ୍କୁଲ୍‌ରେ ଛୁଟି ଘୋଷଣାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅଦିନିଆ ଛୁଟି ସଂପର୍କରେ ପଚାରିବା ପାଇଁ ପ୍ରଧାନଶିକ୍ଷକଙ୍କ ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ କରି ନ ଥିଲେ। ତେବେ ଜଣେ ସହକାରୀ ଶିକ୍ଷକ ‘ଆଜି ଆମେ ଲୋକାଲ୍‌ ହଲିଡେ’ ନେଇଥିଲୁ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ) କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରୁ ଉକ୍ତ ସ୍କୁଲ୍‌ ଲୋକାଲ ହଲିଡ଼େ ନେବା ସଂପର୍କରେ ସେ ଜାଣି ନ ଥିବା କହିଥିଲେ। ତେବେ ବର୍ଷ ଶେଷ ହେଉଥିବାରୁ ଅନ୍‌ସ୍ପେଣ୍ଡ୍‌ ରହିଥିବା ଦିନକୁ ଛୁଟି ଭାବେ ନେଇହେବ। ଏଥିପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଅନୁମତି ନେଇଥାଇପାରନ୍ତି ବୋଲି ସେ ସୂଚନା ଦେଇଥିଲେ। ଅଦିନିଆ ଛୁଟି ପାଇଁ ବିଧିବଦ୍ଧ ଅନୁମତି ନିଆଯାଇ ନ ଥିଲେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ଶ୍ରୀ ନାୟକ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର