ଧରାପଡ଼ିଲା ୩୦ ଲକ୍ଷ ଟଙ୍କାର ସ୍କାର୍ପ୍‌

ଟ୍ରକ ଜବତ, ୨ ଜଣ ଅଟକ, ୩ ଲକ୍ଷର ମୂଲଚାଲ ଫସର ଫାଟିଲା

ଯାଜପୁର/ପାଣିକୋଇଲି : ସ୍ୱତନ୍ତ୍ର ସ୍କ୍ଵାଡ୍‌ ଚଢ଼ଉ କରି ୩୦ ଲକ୍ଷ ଟଙ୍କାର ସ୍କାର୍ପ ଜବତ କରିଛି। ସ୍କାର୍ପ ନେଇ ଯାଉଥିବା ଟ୍ରକ୍‌ ସହ ଦୁଇଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ତେବେ ୩ ଲକ୍ଷ ଟଙ୍କା ନେଇ ପାଣିକୋଇଲି ପୁଲିସ ଟ୍ରକ୍‌କୁ ଖସାଇ ଦେବା ପାଇଁ ଚଳାଇଥିବା ମୂଲଚାଲ ଫସର ଫାଟି ଯାଇଛି।

ମିଳିଥିବା ସୂଚନା ପ୍ରକାରେ ୩୦ ଲକ୍ଷ ଟଙ୍କାର ସ୍କାର୍ପ ନେଇ ପାରାଦୀପରୁ କୋଲକାତା ଯାଉଥିବା ଏକ ଟ୍ରକ୍‌ ଏସ୍‌ପି ଚରଣ ସିଂ ମୀନାଙ୍କ ସ୍ୱତନ୍ତ୍ର ସ୍କାଡ ହାବୁଡ଼ରେ ପିଡ଼ିଛି। ଏଥିରେ ମୂଲ୍ୟବାନ୍‌ ଆଲୁମିନିୟମ୍‌, ପିତ୍ତଳ, ତମ୍ବା ଓ ଅନ୍ୟାନ୍ୟ ସ୍କାର୍ପ ଥିଲା। ଗତକାଲି ରାତିରେ ପାଣିକୋଇଲି ଥାନା ପୁଲିସ୍‌ ପୋଟ୍ରୋଲିଂ ବେଳେ ଏହି ସ୍କାର୍ପ ଟ୍ରକକୁ ଧରିଥିଲା। ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ୩/୪ଲକ୍ଷ ଟଙ୍କା ପାଇଁ ମୂଲଚାଲ ଚାଲିଥିଲା। ଏଥିରେ ପାଣିକୋଇଲି ଥାନାର   ଜଣେ କନେଷ୍ଟବଳ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଏହି ଖବର ଏସ୍‌ପିଙ୍କ ନିକଟରେ ପହଞ୍ଚିବା ପରେ ତାଙ୍କ ସ୍କ୍ଵାଡ଼ ଅନୁସଂଦାନ କରି ସ୍କ୍ଵାର୍ପ ବୋଝେଇ ଟ୍ରକ(ଡବ୍ଲୁବି ୧୧ବି ୦୦୨୫)କୁ ସଠିପୁରର ଏକ ଢାବା ନିକଟରୁ ଜବତ କରିଥିଲେ। ଗାଡ଼ି ଡ଼ାଇଭରକୁ ପଚରାଉଚରା କରିବା ପରେ ବହୁ ତଥ୍ୟ ପଦାକୁ ଆସିଛି। ଏହାକୁ ଭିତ୍ତି କରି ପାରାଦୀପରୁ ମଧ୍ୟ ଜଣେ ସ୍କାର୍ପ ବ୍ୟବସାୟୀକୁ ପୁଲିସ ଉଠାଇ ଆଣିଛି। ମୂଲଚାଲ କରୁଥିବା ଲକ୍ଷପତି କନେଷ୍ଟବଳ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଏହି କନେଷ୍ଟବଳ ଜରିଆରେ ପାଣିକୋଇଲି ଥାନାର ଅଧିକାଂଶ ମୂଲଚାଲ ହେଉଥିବା କୁହାଯାଉଛି। ଘଟଣାରେ ଏସପି କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି,  ତା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର