ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ!

ଯାଜପୁର ଜିଲ୍ଲା ସଭାପତିଙ୍କ ଭାଇ ନାମରେ ମାମଲା

ଡାକ୍ତରୀ ମାଇନା ପରେ ପୀଡ଼ିତାଙ୍କ ବୟାନ୍‌ ରେକର୍ଡ

ଦଶରଥପୁର : ବିଜୁ ପକ୍କା ଘର ଓ ୨ ଲକ୍ଷ ଟଙ୍କା ସରକାରୀ ସାହାଯ୍ୟର ପ୍ରଲୋଭନ ଦେଖାଇ ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ଯାଜପୁର ଜିଲ୍ଲା ବିଜେଡି ସଭାପତିଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ନାଁରେ ଏହିଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ମଙ୍ଗଳପୁର ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଡାକ୍ତରୀ ମାଇନା ସହିତ ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରାଇଛି।

ଅଭିଯୋଗକାରୀ ମହିଳା ହେଉଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତା। ବୈବାହିକ ଜୀବନରେ ତିକ୍ତତା ପରେ ସେ ୬ ବର୍ଷ ହେବ ବାପଘରେ ରହୁଛନ୍ତି। ଇତିମଧ୍ୟରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇସାରିଛି। ଘରେ ବିଧବା ମା’ ଏବଂ ୨ଟି ଝିଅ। ମା’ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ସହାୟକ ଭାବେ କାମ କରୁଛନ୍ତି। ଏପର୍ଯ୍ୟନ୍ତ ସେ କୌଣସି ସରକାରୀ ସହାୟତା ପାଇନଥିବାରୁ ବିଭିନ୍ନ ସରକାରୀ ଅଧିକାରୀ ଓ ରାଜନେତାଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ଦଶରଥପୁର ଗ୍ରାମର ପୁଲିନ ବିହାରି ମହାପାତ୍ରଙ୍କ ପୁଅ ଚନ୍ଦ୍ରକାନ୍ତ ମହାପାତ୍ର(ଚାନ୍ଦ)ଙ୍କୁ ମଧ୍ୟ ଦୁଃଖ କଥା କହିଥିଲେ। ଚାନ୍ଦ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି ସରୋଜକାନ୍ତ ମହାପାତ୍ରଙ୍କ ଦାଦା ପୁଅ ଭାଇ।

ଏହି ମହିଳା ଜଣଙ୍କ କରିଥିବା ଅଭିଯୋଗ ଅନୁସାରେ, ଗତ ୧୧ ତାରିଖ ରାତି ପ୍ରାୟ ୮ଟା ୧୫ ମିନିଟ୍‌ ସମୟରେ ଚାନ୍ଦ ହଠାତ୍‌ ଫୋନ୍‌ କରି ତାଙ୍କୁ ପାର୍ଟି ଅଫିସ୍‌କୁ ଡକାଇଥିଲେ। ସେ ଫୋନ୍‌ରେ କହିଥିଲେ ସ୍ୱାମୀ ପରିତ୍ୟକ୍ତାଙ୍କ ପାଇଁ ଏକ ନୂଆ ଯୋଜନା ଆସିଛି ଏବଂ ସେହି ଯୋଜନାରେ ୨ ଲକ୍ଷ ଟଙ୍କା ମିଳିବ। ଏଥିପାଇଁ ଦଳ ପକ୍ଷରୁ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହିତ, ଆସିଲେ ବିଜୁ ପକ୍କାଘର ବି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ପୃକ୍ତ ମହିଳା ପ୍ରଥମେ ଅମଙ୍ଗ ହୋଇଥିଲେ ଏବଂ ସକାଳେ ଯିବେ ବୋଲି କହିଥିଲେ। ମାତ୍ର, କାଲି ରହିବେନି କହିବା ସହିତ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ। ଆଜି ନ ଆସିଲେ ପଛରେ ଦୋଷ ଦେବୁ ନାହିଁ ବୋଲି କହିବା ସହ ଆସିବା ପାଇଁ ଏକପ୍ରକାର ବାଧ୍ୟ କରିଥିଲେ। ସେ ୯ଟା ୧୫ ମିନିଟ୍‌ ସମୟରେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଏହି ମହିଳା ମଙ୍ଗଳପୁର ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ଏହି ଅଭିଯୋଗକୁ ଭିତ୍ତିକରି ମଂଗଳପୁର ଥାନାରେ ମାମଲା ରୁଜୁ କରାଯାଇଛି। ମଂଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଏହାପରେ ଆଇଆଇସି ପୀଡ଼ିତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟକୁ ନେଇ ବୟାନ୍‌ ରେକର୍ଡ କରିଛନ୍ତି। ଦୋଷୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଆକବର ଅଲ୍ଲୀ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ।

ସମ୍ବନ୍ଧିତ ଖବର