ଯାଜପୁରରେ କାଳବୈଶାଖୀର ତାଣ୍ଡବ

ଗଛ ଉପୁଡ଼ିଲା, ଘର ଭାଙ୍ଗିଲା, ଟାୱାର ଭୁଶୁଡ଼ିଲା, ବ୍ୟାସନଗରରେ ୩ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ

ବ୍ୟାସନଗର :  କାଳ ବୈଶାଖୀ ଝଡ଼ ତୋଫାନ ଯୋଗୁ ବ୍ୟାସନଗର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ପବନ ପାଇଁ ବିଭିନ୍ନ ସ୍ଥାନରେ ବିଜ୍ଞାପନ ହୋର୍ଡିଂ ଲୁହା ଷ୍ଟ୍ରକଚର ଉପୁଡ଼ିଯିବା ସହ ଆଜବେଷ୍ଟସ ଛପର ଉଡ଼ିଯାଇଛି। ଚୋରଦା ବାଇପାସ ରାସ୍ତା କଡ଼ରେ ଏକ ଦୁଇ ମହଲା ଘରର ଛାତ ଉପରୁ ୨୦ ଫୁଟ୍‌ ଲମ୍ବର ଏକ ହୋଡିଂ ଉପୁଡ଼ିପଡ଼ିଛି। ଏହି ସମୟରେ ଆଖପାଖରେ ଥିବା ବହୁ ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପକ୍ଷରେ ବିଦ୍ୟୁତ ତାର ଛଡ଼ିବା ଓ ନୂଆ ଖୁଣ୍ଟ ଭାଙ୍ଗିଯାଇଛି। ବିଦ୍ୟୁତ୍ ତାର ଛିଡ଼ି ପଡ଼ିବା ଯୋଗୁ ସହରରେ ୩ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଅପରାହ୍ନ ୩ ଟାରୁ କଟି ଯାଇଥିବା ବିଦ୍ୟୁତ୍‌ ସରବରାହ ସନ୍ଧ୍ୟା ସାଢ଼େ ଛ’ଟାରେ ଆସିଥିଲା। ସେହିପରି ସହରର ବିଭିନ୍ନ ସ୍ଥାନରେ ଦୋକାନ ଓ କେବିନ ଘର କ୍ଷତିଗ୍ରସ୍ତ ହୋଇଛି। ଚୋରଦା-ନହକା ବାଇବାସ୍‌ରେ ଥିବା ଗ୍ୟାରେଜ୍‌ ଗୁଡ଼ିକର ଟିଣ ଛପର ଉଡ଼ିଯାଇ ଏଣେତେଣେ ପଡ଼ିଛି।
କାଳିଆପାଣି: ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ ରାଁସୋଳ ପଞ୍ଚାୟତ କଲରଙ୍ଗି ପୁରିଆଝର ବସ୍ତିରେ ଆଜି କାଳବୈଶାଖୀ ଝଡ଼ ତାଣ୍ଡବ ସୃଷ୍ଟି କରିଥିଲା। ଦିନ ମଜୁରିଆ ଅଭି ନାଏକଙ୍କ ଘର ଉପରେ ଏକ ଶୁଖିଲା ଶିମିଳି ଗଛ ଖସି ପଡ଼ିବାରୁ ତାଙ୍କର ଦୁଇ ବଖରା ଘର ଭାଙ୍ଗି ଯାଇଛି। ଘରର ଆଜବେସଷ୍ଟସ ଛପର ଭାଙ୍ଗିଯିବା ସହ ରୋଷେଇ ଘର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ସମୟରେ ଅନ୍ୟ ଏକ କୋଠରୀରେ ଖାଇ ବସିଥିବା ଅଭି, ତାଙ୍କ ୨ ବୋହୂ ମାନି ଓ ସାପାନି, ମଝିଆଁ ପୁଅ ରାଜୁ, ନାତୁଣି ମଧୁସ୍ମୀତା ଅଳ୍ପକେ ବର୍ତ୍ତି ଯାଇଥିଲେ। ବଡ଼ପୁଅ କାରୁଆ ଓ ସାନପୁଅ ବିଜୁ ଝଡ଼ବତାଶ ବେଳେ ବାହାରେ ଥିଲେ। ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ପଳାଇ ଆସିଥିଲେ। ଶ୍ରମିକନେତା ବିଦ୍ୟାଧର ପାତ୍ର, ସରପଞ୍ଚ ବିଶ୍ବଜିତ୍ ମହାନ୍ତି, ସମିତିସଭ୍ୟ କେଶବ ହେସା ପ୍ରମୁଖ ଶ୍ରୀ ନାଏକଙ୍କ ଘରେ ପହଞ୍ଚି ପଲିଥିନ୍‌ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଆସନ୍ତାକାଲି କ୍ଷତିଗ୍ରସ୍ତ ପରିବାରକୁ ଆଜବେସଷ୍ଟସ୍ ଓ ଅନ୍ୟାନ୍ୟ ସହାୟତା ଦିଆଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ସ୍ଥାନୀୟ ବିଜେପି ପ୍ରତିନିଧି ଲମ୍ବୋଦର ମହାନ୍ତ ଏହି ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନ ପକ୍ଷରୁ ଏହି ପରିବାରକୁ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି।
ରତ୍ନଗିରି: ଆଜି ଅପରାହ୍ନରେ ବରୀ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଯୋଗୁ ବହୁ କ୍ଷୟକ୍ଷତି ହୋଇଛି। ବହୁ ଗଛ ଭାଙ୍ଗିପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ଫଳରେ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି। ସେହିପରି ମହାକାଳପଡ଼ା ପଞ୍ଚାୟତର ମହାକାଳପଡ଼ା-ଇନ୍ଦୁପୁର ମୁଖ୍ୟରାସ୍ତାରେ ନଡ଼ିଆ ଗଛ ଓ ଚାକୁଣ୍ତା ଗଛ ଭାଙ୍ଗିପଡ଼ିବା ଦ୍ବାରା ଗମନା ଗମନ ବାଧାପ୍ରାପ୍ତ ହୋଇଛି। ଗାଁ ଲୋକେ ଗଛ ହାଣି ରାସ୍ତା ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି।
କୁଆଖିଆ: ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଆଜି ଅପରାହ୍ନରେ କେତେକ ସ୍ଥାନରେ କାଳ ବୈଶାଖୀ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଝଡ଼ତୋଫାନରେ ବ୍ଲକ୍‌ ଅନ୍ତର୍ଗତ ଭୋଟକା ହନୁମାନ ସାହିର ଆନନ୍ଦ ସାହୁଙ୍କ ଘର ଉପରେ ଗୋଟିଏ ନଡ଼ିଆ ଗଛ ଭାଙ୍ଗି ପଡ଼ିଥିଲା। ପରିବାର ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ। ରସୁଲପୁର ସରପଞ୍ଚ ଅକ୍ଷୟ ମଳିକ ବିପନ୍ନ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଅରଡ଼ା ଦଳିତ ସାହିରେ ଚାଲିଥିବା ଅଷ୍ଟପ୍ରହର ନାମଯଜ୍ଞ ମଣ୍ଡପ ଭାଙ୍ଗିଯାଇଛି।

ସମ୍ବନ୍ଧିତ ଖବର