ବରୀରେ ତ୍ରିମୁଖୀ ଲଢେଇ

କର୍ମୀଙ୍କ ଘନଘନ ଦଳ ବଦଳରେ ନେତା ଅସ୍ଥିର

ବରୀ: ବରୀ ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ଚିତ୍ର ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି ପ୍ରାର୍ଥୀ। ଦଳବଦଳ ଚିତ୍ରକୁ ନେଇ ଦିନକୁ ଦିନ ସ୍ଥିତି ବଦଳୁଛି। ପ୍ରଥମ ଥର ପାଇଁ ବରୀର ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ବରୀ ବ୍ଲକ୍ ଅଞ୍ଚଳରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥୀଙ୍କ କାର୍ଯ୍ୟଧାରା କୁ ନେଇ ଭୋଟର ମାନେ ପରଖିବା ପାଇଁ ବିଶେଷ ସୂଚନାର ଆବଶ୍ୟକତା ନାହିଁ। ଯେହେତୁ ସ୍ବଦେଶୀ ପ୍ରାର୍ଥୀ ତେଣୁ ତାଙ୍କ ବିଷୟରେ ଭୋଟର ପାଖରେ ତଥ୍ୟ ରଖିବାର ଆବଶ୍ୟକତା ପଡୁନାହିଁ। ରାଜନୀତି ମଇଦାନକୁ ଅଧିକ ସରଗରମ କରିଛି ଦଳବଦଳ ରାଜନୀତି। ଭୋଟର ଆଉ ପ୍ରାର୍ଥୀଙ୍କ ମଝିରେ ଥିବା କର୍ମୀଙ୍କର ପଟ ପରିବର୍ତ୍ତନ ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଆଣୁଥିବା ଚର୍ଚ୍ଚା ହେଉଛି । ପ୍ରାର୍ଥୀ ପରଖି ଶହଶହ ସଂଖ୍ୟାରେ କର୍ମୀ ଓ ସମର୍ଥକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେବା ଚିତ୍ର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯେଉଁ ଅଞ୍ଚଳରେ ଶହଶହ ପରିବାର ଏକ ସମୟରେ ଦଳ ଛାଡୁଛନ୍ତି ସେଠାରେ ପରିବର୍ତ୍ତନର ଆଭାସ ମିଳୁଥିବା ବେଳେ ଅନେକ ସ୍ଥାନରେ ଭୋଟରକୁ ବିଭ୍ରାନ୍ତ କରିବାକୁ ମଧ୍ୟ ମିଶ୍ରଣ ପର୍ବ ଆୟୋଜନ କରାଯାଉଥିବା ଅଭିଯୋଗ ହେଉଛି। ଚଳିତ ବର୍ଷ ସର୍ବାଧିକ କର୍ମୀ ନିର୍ବାଚନ ପର୍ବରେ ଭାଗ ନେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ପ୍ରଚାର ପ୍ରସାର ଓ ପୋଷ୍ଟର ବ୍ୟାନର ବ୍ୟବହାର ମାତ୍ରା କମ୍ ରହିଥିବା ବେଳେ ରୋଡ଼ ସୋ, ପଦଯାତ୍ରା ଓ ବାଇକ୍ ରାଲିରେ ଚାଲିଛି। ସେପଟେ ଚଳିତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ନେଇ ଅଙ୍କ କଷା ଚାଲିଛି। ବିଜେପି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ନିର୍ବାଚନ ମଇଦାନରେ ଏହା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥିତ୍ବ। ଗତ ୨୦୧୪ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଶାସକ ଦଳକୁ କଢା ଟକ୍କର ଦେଇଥିଲେ। ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ମାତ୍ର ୭୧୭୩ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ପରାଜୟ ପରେ ମଇଦାନରେ ରହି ଲୋକମାନଙ୍କ ସୁଖଦୁଃଖରେ ଭାଗିଦାରି ହେବା ସହିତ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଥିଲେ। ତାଙ୍କ ସମର୍ଥିତ ସଂଖ୍ୟାଧିକ ପ୍ରାର୍ଥୀଙ୍କୁ ବିଜୟ କରାଇ ପଞ୍ଚାୟତ ସମିତି ଦଖଲ କରିଥିଲେ। ଦୀର୍ଘ ୫ବର୍ଷର ସଂଗଠନ ଓ ନିୟମିତ ଅଞ୍ଚଳ ସହିତ ସଂପର୍କର ସୁଫଳ ତାଙ୍କ ପାଇଁ ରହିଛି। ନିର୍ବାଚନ ମଇଦାନରେ ସେ ଆଉ ଅପରିଚିତ ମୁହଁ ନୁହଁନ୍ତି। ତଥାପି ପୁଣି ଥରେ ଲୋକମାନଙ୍କର ନିକଟତର ହେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି। ସେପଟେ ଶ୍ରୀ ମଲ୍ଲିକ ଦ୍ବାରା ସ୍ଥାନିତ ହୋଇ ଥିବା ବ୍ଲକ୍ ବିଜେପି ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ବିଜେଡ଼ି ଆମଦାନି କରି ଦଳୀୟ ପ୍ରାର୍ଥୀ କରିଛି। ଯଦିଓ ଶ୍ରୀମତୀ ଦାସ ପୂର୍ବରୁ ବିଶ୍ବରଂଜନ ଙ୍କ ଦ୍ବାରା ସ୍ଥାନିତ ହୋଇଥିବା ବିଜେପି ଅଧ୍ୟକ୍ଷା ଭାବେ ପରିଚିତ ଥିଲେ । ମାତ୍ର ଏବେ ସେ ବିଜେଡ଼ିରୁ ପ୍ରାର୍ଥିନୀ ହୋଇଥିବାରୁ ଲୋକମାନଙ୍କ ନିକଟରେ ନିଜର ପ୍ରାର୍ଥିତ୍ବ ପହଞ୍ଚାଇବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ତାଙ୍କର ଦଳବଦଳ ସମସ୍ୟା କୁ ନେଇ ଭୋଟର ମାନେ ପ୍ରଶ୍ନ ଉଠାଉଛନ୍ତି। ବରୀର ଦୀର୍ଘ ୧୯ ବର୍ଷର ବିଧାୟକ ଦେବାଶିଷ୍ ନାୟକଙ୍କୁ ଦଳ ଏଥର ଟିକେଟ ଦେଇନଥିବାରୁ ଶ୍ରୀମତୀ ଦାସ ପ୍ରାର୍ଥୀ ହେବା ପରେ ବିଜେଡ଼ିର ପୁରୁଣା ସଂଗଠନକୁ ନିଜ ସପକ୍ଷରେ ଆଣି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରୁଛନ୍ତି। ଯଦିଓ ପୁରୁଣା ସଂଗଠନର ବହୁ ଅଂଶ ତାଙ୍କୁ ଗ୍ରହଣ କରିନେଇଛି ଏବେ ବି କିଛି ମାତ୍ରାରେ ପୁରୁଣା ସଂଗଠନର କର୍ମକର୍ତ୍ତା ତାଙ୍କ ଠାରୁ ଦୂରେଇ ରହିଛନ୍ତି। ସେପଟେ ଏହି ନିର୍ବାଚନ ମଣ୍ଡଳୀର ୮ଟି ପଞ୍ଚାୟତ ଯାଜପୁର ବ୍ଲକରେ ଓ ୧୦ ଟି ପଞ୍ଚାୟତ ରସୁଲପୁର ବ୍ଲକ ଅଧିନରେ ଥିବାରୁ ଦୁଇ ପଡୋଶୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଓ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତ ରାୟ (ଜିତୁ) ଙ୍କ ଉପରେ ଭରସା କରିଛନ୍ତି ସୁନନ୍ଦା। ଟିକେଟ ରାଜନୀତିରେ ପ୍ରମୁଖ ଭୂମିକା ନେଇଥିବା ବବି ଏବେ ଜିତୁଙ୍କୁ ସାଥିରେ ଧରି ସୁନନ୍ଦାଙ୍କ ପାଇଁ ପ୍ରଚାର ମଇଦାନୁ ଓହ୍ଲାଇଲେଣି। ଦୀର୍ଘ ୧୦ ବର୍ଷ ଧରି ୧୮ଟି ପଞ୍ଚାୟତ ଦେବଶିଷ୍ ଙ୍କ ପରିଚାଳିତ ରେ ଥିଲା। ଦୀର୍ଘ ୧୦ ବର୍ଷ ଧରି ଏହି ଅଞ୍ଚଳ ସହିତ ସଂପର୍କ ରଖିନଥିବା ଉକ୍ତ ଦୁଇ ନେତାଙ୍କ ନେତୃତ୍ବ କୁ ଏବେ କେତେଦୂର ଭୋଟର ମାନେ ଗ୍ରହଣ କରିବେ! ତାହା ମଧ୍ୟ ଏକ ପ୍ରଶ୍ନବାଚୀ । ସେପଟେ କଂଗ୍ରେସ ପ୍ରାର୍ଥୀ ଉମେଶ ଜେନା ମଧ୍ୟ ପ୍ରଚାର ମଇଦାରେ ପଛରେ ନାହାଁନ୍ତି। ଛାତ୍ର ରାଜନୀତି ରୁ ପଞ୍ଚାୟତ ରାଜନୀତି ଏବେ ବିଧାୟକ ପ୍ରାର୍ଥୀ। ଗତ ୨୦୧୪ ମସିହାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଉମେଶ ବରୀର ସଂଗଠନ ଦାୟିତ୍ବ ନେଇଥିଲେ। ଦୀର୍ଘ ୫ବର୍ଷ ହେଲା ଲୋକମାନଙ୍କ ସହିତ ରହିଆସିଥିବା ଶ୍ରୀ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି। ବିଗତ ନିର୍ବାଚନରେ ଦଳର ଆଭ୍ୟନ୍ତରଣ କନ୍ଦଳ ପାଇଁ ଭୋଟ ବିଭାଜନ ମୁଖ୍ୟ ସମସ୍ୟା ହୋଇଥିଲା। ଯାହା ଫଳରେ ମାତ୍ର ୭୬୮୨ ଖଣ୍ଡ ଭୋଟରେ ସୀମିତ ଥିଲା କଂଗ୍ରେସ। ଏବେ ଯୁବ ନେତୃତ୍ବ ଶ୍ରୀ ଜେନା ବରୀରେ ଥିବା କଂଗ୍ରେସର ପାରଂପାରିକ ଭୋଟକୁ ନିଜ ସପକ୍ଷରେ ନେବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଯୁବ ସମର୍ଥକ ସଂଖ୍ୟା ବଢୁଥିବା ବେଳେ ପୁରୁଣା କଂଗ୍ରେସ କର୍ମୀ ଓ ସମର୍ଥକ ଶ୍ରୀ ଜେନାଙ୍କ କଥା ଚିନ୍ତା କରୁଛନ୍ତି। ସେପଟେ ଉଭୟ ବିଜେଡ଼ି ଓ ବିଜେପି ଦଳରୁ କିଛି ପରିମାଣର ସମର୍ଥନ ହାତେଇବାକୁ ମଧ୍ୟ ଶ୍ରୀ ଜେନା ଲାଗି ପଡ଼ିଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ପ୍ରଚାର ମଇଦାରେ ବଳ କଷୁଛନ୍ତି।

ସମ୍ବନ୍ଧିତ ଖବର