ସଂପର୍କୀୟ ଦାଦା ସମେତ ୬ ଗିରଫ

ଆଦିବାସୀ ଯୁବତୀକୁ ଗଣଦୁଷ୍କର୍ମ ମାମଲା

କାଲିମେଳା : ମାଲକାନଗରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସଂପର୍କୀୟ ଦାଦା ରହିଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗେଲ ଗ୍ରାମର ଜଣେ ୨୨ବର୍ଷିଆ ଆଦିବାସୀ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ କାଲିମେଳା ଦଶହରା ପୂଜା ଦେଖିବାକୁ ୩୦ ତାରିଖ ଦିନ ଆସିଥିଲେ। କାଲିମେଳାରେ ପୂଜା ଦେଖିବା ପରେ ସେ ନିକଟସ୍ଥ ଆମ୍ବାଗୁଡ଼ା ଗ୍ରାମରେ ଥିବା ନିଜ ସଂପର୍କୀୟ ଦାଦାଙ୍କ ଘରେ ୨ ଦିନ ରହିଥିଲେ। ତେବେ ୩ ତାରିଖ ରାତିରେ ତୁମକୁ ନକ୍ସଲ ହତ୍ୟା କରିବାକୁ ଆସୁଥିବା ସୂଚନା ମିଳିଛି ବୋଲି ଭୟ ଦେଖାଇ ଜମିରେ ଥିବା କୁଡିଆକୁ ଚାଲିଯିବାକୁ କହିଥିଲେ।

ନକ୍ସଲ ଭୟରେ ଯୁବତୀ ଜଣକ ପୁରୁଷ ବନ୍ଧୁ ସହ କୁଡିଆକୁ ଚାଲି ଯାଇଥିଲେ। ଏହାପରେ ପୁରୁଷ ବନ୍ଧୁଙ୍କୁ ଭୟଭୀତ କରାଇ ସେଠାରୁ ଅନ୍ୟତ୍ର ପଠାଇ ଦେଇଥିଲେ।  ଏହାପରେ ରାତିରେ ସଂପର୍କୀୟ ଦାଦା ସମେତ ୬ଜଣ ସଂପୃକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଯଥା ଭୀମା ମାଡ଼କାମୀ , ଗଂଗା ମାଡ଼କାମୀ, କାନା ମାଡ଼କାମୀ, ମାଲା ମାଢ଼ି , ବୋଜା ମାଢ଼ି ଓ ରାମା ମାଢ଼ି ପ୍ରମୁଖ ରାତିସାରା ଉକ୍ତ ଯୁବତୀକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ପୀଡ଼ିତା ସକାଳୁ  ନିଜ ଗାଁରେ ପହଞ୍ଚି ପରିବାରବର୍ଗଙ୍କୁ ଜଣାଇଥିଲେ। ଏହାପରେ ଗତକାଲି ଏ ନେଇ କାଲିମେଳା ଥାନାରେ ଅଭିଯୋଗ କରିଥିଲେ। କାଲିମେଳା ପୁଲିସ ଆମ୍ବାଗୁଡ଼ା ଗ୍ରାମରେ ଚଢ଼ାଉ କରି ସଂପର୍କୀୟ ଦାଦାଙ୍କ ସମେତ ୬ଜଣ ଅଭିଯୁକ୍ତକୁ ଗିରଫ କରିଛି। ଆଜି କାଲିମେଳା ମେଡ଼ିକାଲରେ ସମସ୍ତଙ୍କ ଡ଼ାକ୍ତରୀ ମାଇନା କରାଯାଇଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ କାଲିମେଳା ଥାନାରେ କେସ ନମ୍ବର ୫୮/୧୭ରେ ଦଫା ୩୨୩, ୫୦୬ ,୩୭୬(ଗଣ ଦୁଷ୍କର୍ମ)ରେ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର