କାଜୁ ଜଙ୍ଗଲରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

ସୁକିନ୍ଦା : ସୁକିନ୍ଦା ଥାନା ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲ ମଧ୍ୟରୁ ଜଣେ ଅଚିହ୍ନା ଯୁବକର ଶବକୁ ପୁଲିସ ଉଦ୍ଧାର କରିଛି। ପୁଲିସ ଏହାକୁ ହତ୍ୟା ସନ୍ଦେହ କରୁଥିବା ବେଳେ ମୃତ ଦେହ ନିକଟରେ ଏକ ବିଷ ବୋତଲ ପଡ଼ିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୫୩ ନମ୍ବର ଜାତୀୟ ରାଜପଥରୁ ମାତ୍ର ୫୦ ମିଟର ଦୂର କାଜୁ ଜଙ୍ଗଲ ମଧ୍ୟରେ ଉକ୍ତ ଶବ ପଡିଛି। ରବିବାର ଅପରାହ୍ଣରେ ଏହି ଶବଟି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ କେତେକ ଲୋକ ସେଠାକୁ ଯାଇଥିଲେ। ସେଠାରେ ଜଣେ ଯୁବକର ଶବକୁ ଦେଖିବା ପରେ ସୁକିନ୍ଦା ପୁଲିସକୁ ଖବର ଦେଇଥିଲେ । ସୁକିନ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଶବକୁ ଜବତ କରିଥିବା ଜଣାପଡିଛି। ଅନ୍ୟପଟେ ୨୩ ତାରିଖରେ ଖୋର୍ଦ୍ଧା ଅଂଚଳରୁ ସୁଶାନ୍ତ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇ ପ୍ରଶାନ୍ତ ସ୍ୱାଇଁ ହଜିଯାଇଥିବା ନେଇ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ। ହଜିଯାଇଥିବା ବ୍ୟକ୍ତି ଜଣକ ଖୋର୍ଦ୍ଧା ୬ଷ୍ଠ ବଟାଲିୟନର କର୍ମଚାରୀ ହୋଇଥିବା ବେଳେ ତାଲିମ ପାଇଁ ସୁକିନ୍ଦା ସ୍ଥିତ ୩ୟ ଭାରତୀୟ ଆରକ୍ଷିତ ବଳ ଶିବିରକୁ ଆସିଥିଲେ। ତାଲିମରୁ ଉକ୍ତ ଅଂଚଳର ସମସ୍ତ କର୍ମଚାରୀ ଫେରିଯାଇଥିବା ବେଳେ ପ୍ରଶାନ୍ତ ଅଦ୍ୟାବଧି ଘରକୁ ଫେରି ନଥିବା ସେ ଅଭିଯୋଗ କରିଛନ୍ତି। ଗତ ୨୦ ତାରିଖରୁ ତାଙ୍କ ମୋବାଇଲ ବନ୍ଦ ଥିବା ମଧ୍ୟ ପୁଲିସକୁ ଜଣାଇଛନ୍ତି। ଶବଟି ପଚିଯାଇଥିବାରୁ ସଠିକ ଭାବରେ ଜଣା ପଡୁନଥିବା ଜଣାପଡିଛି। ୨୩ ତାରିଖ ଏତାଲା ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଡକାଇଥିବା ଜଣାପଡିଛି। ସେ ପହଞ୍ଚିବା ପରେ ଶବ ଚିହ୍ନଟ ହେବାର ସମ୍ଭାବନା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ସୁକିନ୍ଦା ପୁଲିସ ୬/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର