ପ୍ରେମିକ ଘର ଆଗରେ ପ୍ରତାରିତା ପ୍ରେମିକାର ଧାରଣା

ଯାଜପୁରସଦର: ପ୍ରେମ ଆଉ ପ୍ରତାରଣା ଭଳି ମାମଲା ବଢ଼ି ବଢି ଛାଲିଛି। କ୍ଷଣିକ ସୁଖ ପାଇଁ ପ୍ରେମିକଟି ସବୁ ଲୁଟି ନେବା ପରେ ପ୍ରେମିକାଙ୍କୁ ଅଧା ବାଟରେ ଛାଡି ଚାଲିଯାଉଛି । ଶେଷରେ ନ୍ୟାୟ ପାଇବା ପାଇଁ  ପ୍ରେମିକା ଏବଂ ତାଙ୍କ ପରିବାର ପ୍ରେମିକ ଘର ଆଗରେ ଧାରଣା ଦେଉଛନ୍ତିି। ଏମିତି ଏକ ଘଟଣା ଘଟିଛି ଯାଜପୁର ଥାନା ଅକରପଡା ପଞ୍ଚାୟତ ମଲ୍ଲିକାପୁର ଗାଁରେ।

ଦେବୀଦ୍ଵାର ନିକଟ ହରିପୁର ଗାଁର ଜଣେ ୧୮ ବର୍ଷ ଯୁବତୀଙ୍କ ସହ ଅକରପଡା ପଞ୍ଚାୟତ ମଲ୍ଲିକାପୁର ଗ୍ରାମର କୁନିଆ ଜେନାଙ୍କ ପୁଅ ଠକୁନ ଜେନା(୧୯)ଙ୍କ ପ୍ରେମ ସଂପର୍କ ଗଢିଉଠିଥିଲା। ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁନ ପ୍ରେମିକାଙ୍କୁ ସାଙ୍ଗରେ ନେଇ ଜାହାନପୁର ପଞ୍ଚାୟତ ତ୍ରିଲୋଚନପଡା ମୌଜାର ତାଳହୁଡାରେ ୩ ଦିନ ରଖି ତାଙ୍କ ଘରେ ଛାଡି ଦେଇ ଆସିଥିଲେ। ଘଟଣା ପ୍ରଘଟ ପରେ ଝିଅର ପରିବାର ଲୋକ ଏବଂ ଗାଁର ୫୦ରୁ ଉର୍ଧ୍ୱ ମହିଳା ଓ ପୁରୁଷ ସଂପୃକ୍ତ ଝିଅ ସହ ଠକୁନଙ୍କ ମଲ୍ଲିକାପୁରସ୍ଥିତ ଘର ଆଗରେ ପହଞ୍ଚି ହୋ’ହାଲ୍ଲା କରିଥିଲେ।

ଠକୁନଙ୍କୁ ବିବାହ କରିବାକୁ ସଂପୃକ୍ତ ପ୍ରେମିକା ଘର ଆଗରେ ଧାରଣା ଦେଇଥିଲେ।  ତେବେ  ପ୍ରେମିକର ପରିବାର ଲୋକେ ତାଙ୍କ ପୁଅ  ସହ ଏହି ଝିଅର ବିବାହ ହୋଇପାରିବନି ବୋଲି  ରୋକ୍‌ଠୋକ୍‌ ଶୁଣାଇ ଘରୁ ତଡି ଦେଇଥିଲେ। ଜଣେ ଜନ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି କିଛି ଟଙ୍କା ବଦଳରେ ମାମଲା ରଫା ଦଫା କରିବାକୁ ଝିଅର ପରିବାର ଲୋକଙ୍କୁ ଚାପ  ପକାଇଥିବା ଅଭିଯୋଗ ହୋଇଛି।  ମାତ୍ର ବିବାହ ଜିଦ୍‌ରେ ଅଟଳ ରହି ଝିଅଟି ପ୍ରେମିକ ଘର ଆଗରେ ୩ଘଣ୍ଟା ଧରି ବସିରହିଥିଲା। ପୁଅ ଘର ପକ୍ଷରୁ କୌଣସି ପ୍ରତିଶ୍ରୁତି ନପାଇ ଝିଅର ପରିବାର ଲୋକେ ଟାଉନ ଥାନାରେ  ଅଭିଯୋଗ କରିଛନ୍ତି। ଟାଉନ ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ। ରାଜନୈତିକ ଚାପ ଯୋଗୁଁ ପୁଲିସ ମାମଲା ରୁଜୁ କରିବାରେ  ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଝିଅ ପରିବାର ପକ୍ଷରୁ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର