ଦଶରଥପୁର : ଗତ ସୋମବାର ଦଶରଥପୁର ବ୍ଲକ୍ ମଙ୍ଗଳପୁର ଥାନା ଅନ୍ତର୍ଗତ ଖାନନଗର ପଞ୍ଚାୟତରେ ନୂତନ ରାସନକାର୍ଡ ପାଇଁ ହିତାଧିକାରୀ ଚୟନ ବେଳେ ବ୍ଲକ୍ ସହକାରୀ ଯନ୍ତ୍ରୀ ସୁଧାକର ନାୟକଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳପୁର ଥାନା କେସ ନଂ ୨୨୧/୧୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ଆଜି ପାଲଟା ଅଭିଯୋଗ କରିଛନ୍ତି। ମାମିନାଙ୍କ ଅଭିଯୋଗ ଅନୁଯାୟୀ ପଞ୍ଚାୟତରେ ରାସନକାର୍ଡ ତଦନ୍ତ ଚାଲିଥିବା ବେଳେ ଜିଆରଏସଙ୍କ ବଦଳରେ ତାଙ୍କ ସ୍ୱାମୀ ଦୀନବନ୍ଧୁ ସାହୁ ତଦନ୍ତରେ ସହାୟତା କରୁଥିଲେ। ପାତରଅନ୍ତର କରୁଥିବା ଅଭିଯୋଗ ଆଣି ଦୀନବନ୍ଧୁଙ୍କ ସହ କିଛି ଯୁବକ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ଆସି ବୁଝାସୁଝା କରୁଥିବା ବେଳେ ସହକାରୀଯନ୍ତ୍ରୀ ଶ୍ରୀ ନାୟକ ଓ ଜିଆର୍ଏସ୍ଙ୍କ ସ୍ୱାମୀ ଶ୍ରୀ ସାହୁ ଅଶ୍ଳୀଳ ଇଂଗିତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ତାଙ୍କ ରୁମକୁ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ନିରୋଳାରେ ଡାକି ଏହାର ସମାଧାନ କରିବା ପାଇଁ ସହକାରୀ ଯନ୍ତ୍ରୀ କହିଥିଲେ ବୋଲି ଜିଲ୍ଲା ପରିଷଦ ସଭ୍ୟା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସହକାରୀ ଯନ୍ତ୍ରୀ ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ସୋମବାର ଅପରାହ୍ଣରେ ଖାନନଗର ପଞ୍ଚାୟତରେ ତଦନ୍ତ ଚାଲିଥିବା ବେଳେ ଜିଆରଏସଙ୍କ ସ୍ୱାମୀ ଦୀନବନ୍ଧୁ ତାଙ୍କୁ ସହାୟତା କରିଥିଲେ। ଏହାକୁ ବିରୋଧ କରି ଖାନନଗର ଗ୍ରାମର ଦିଲ୍ଲିପ ସାହୁ, ସୁରେଶ ସେଠୀ, ଦୀପକ ସାହୁ, ସରୋଜ ଜେନାଙ୍କ ସମେତ କିଛି ଯୁବକ ଗାଳିଗୁଲଜ କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ୪ ଜଣ ଯୁବକଙ୍କ ନାଁରେ ମଙ୍ଗଳପୁର ଥାନାରେ ମାମଲା ରୁଜୁ ହୋଇଛି। ଉଭୟ ଘଟଣାରେ ତଦନ୍ତ ଚାଲିଛି ବୋଲି ଆଇଆଇସି ବାମଦେବ ନନ୍ଦ ସୂଚନା ଦେଇଛନ୍ତି ।