୩ ସ୍ଥାନରେ ଭୋଟ୍‌ ଗଣତି ତାଲିମ

ଯାଜପୁରଟାଉନ/ସଦର: ପାଖେଇ ଆସୁଛି ଭୋଟ ଗଣତି ସମୟ। ୨୦୧୯ ନିର୍ବାଚନର ମତ ଗଣନା ମଇ ୨୩ ତାରିଖରେ ଅନୁଷ୍ଠିତ ହେବ। ଏନସି କଲେଜ ଠାରେ ଯାଜପୁର ଲୋକ ସଭା ଅନ୍ତର୍ଗତ ୭ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥର ଗଣନା ମଧ୍ୟ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। ଏହି ଗଣନାକୁ ଯେପରି ଶୃଙ୍ଖଳିତ ଓ ନିୟମାନୁସାରେ ପରିଚାଳନା କରାଯିବ ସେଥିପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାର ଗୌତମ ବୁଦ୍ଧ ସଂସ୍କୃତି ଭବନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଓ ଯାଜପୁର ବ୍ଲକ ସମ୍ମିଳନୀ ଗୃହରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ପ୍ରତାପ ମିଶ୍ର ଯୋଗଦେଇ ଗଣତିର ବିଭିନ୍ନ ବ୍ୟବସ୍ଥା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ପ୍ରଥମେ ପୋଷ୍ଟାଲ ବାଲାଟ ଗୁଡିକର ଗଣତି ପୂର୍ବାହ୍ନ ୮ ଘଟିକା ଠାରୁ ଆରମ୍ଭ ହେବ । ପରେ ଇଭିଏମ୍ ର ଭୋଟ ଗୁଡିକୁ ଗଣନା କରାଯିବ । ଶେଷରେ ଭିଭିପାଟ ଚିରକୁଟିକୁ ଗଣନା କରାଯିବ । ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ୫ ଗୋଟି ଭିଭିପାଟକୁ ରାଣ୍ଡମାଇଜେସନ ମାଧ୍ୟମରେ ଚିହ୍ନଟ କରାଯାଇ ଗଣନା କରାଯିବ । ରାଉଣ୍ଡ ୱାଇଜ ବା ପର୍ଯ୍ୟାୟ କ୍ରମେ ଭୋଟ ଗଣତି କରାଯିବ । ୭ ଟି ଲେଖାଏଁ ଟେବୁଲ ବିଧାନ ସଭା ଓ ଲୋକସଭା ପାଇଁ ବ୍ୟବସ୍ଥା କରାଯାଇଥିବାରୁ ପର୍ଯ୍ୟାୟ କ୍ରମେ ଷ୍ଟ୍ରଙ୍ଗ ରୁମରୁ ଇଭିଏମ୍ ଗୁଡିକୁ ଅଣାଯାଇ ଟେବୁଲ ୱାରୀ ଗଣତି କରାଯିବ । ଗଣତି ସୁପରଭାଇଜର, ସହାୟକ, ରାଜନୈତିକ ଦଳ, ପ୍ରାର୍ଥୀଙ୍କ ଏଜେଣ୍ଟ ଓ ମାଇକ୍ରୋ ଅବଜରଭରଙ୍କ ଉପସ୍ଥିତିରେ ଗଣନା ଆରମ୍ଭ ହେବ । ଏହି ଗଣନା ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନିଯୁକ୍ତ ଇଂଜିନିୟର ମାନେ ମଧ୍ୟ ଗଣନା ସ୍ଥଳରେ ଉପସ୍ଥିତ ରହିବେ। ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅପିଂସର ନାରାୟଣ ଚନ୍ଦ୍ର ଧଳ ଗଣତି ସୁପରଭାଇଜର ଓ ଅନ୍ୟାନ୍ୟ ସହାୟକ ମାନେ ସବୁବେଳେ ତତ୍ପର ରହିବା ସହ ରାଜନୈତିକ ଏଜେଣ୍ଟଙ୍କ ସହ ଉତ୍ତମ ସଂପର୍କ ଓ ସମନ୍ୱୟ ରଖିବାକୁ ଗୁରୁତ୍ୱ ଦେଇଥିଲେ । ଇଭିଏମ୍ ମେସିନଗୁଡିକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଷ୍ଟ୍ରଙ୍ଗ ରୁମରୁ ଗଣତି ଟେବୁଲକୁ ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗଣତି ପୂର୍ବରୁ ଏହି ମେସିନଗୁଡିକୁ ଠିକ ଭାବେ ଅନୁଧ୍ୟାନ କରି ଲୋକ ସଭା ଓ ବିଧାନସଭାୱାରୀ ଗଣନା କରାଯିବ ବୋଲି ସେ ସୂଚନା ଦେଇଥିଲେ । ଧର୍ମଶାଳା ବିଡିଓ ହେମନ୍ତ କୁମାର ସ୍ୱାଇଁ, ସୁକିନ୍ଦା ତହସିଲଦାର ବିଶ୍ୱଜିତ୍ ଦାସ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ଓ ଡେପୁଟି କଲେକ୍ଟର କାଜଲ ପ୍ରଧାନ ପ୍ରମୁଖ ଗଣନାର ବିଭିନ୍ନ ଦିଗ ଊପରେ ଆଲୋକପାତ କରିଥିଲେ। ତିନୋଟି ଯାକ ପ୍ରଶିକ୍ଷଣ ଶିବିରରେ ୫୦ ଜଣ ଲେଖାଏଁ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବା ସହ ଇଭିଏମ୍ ଓ ଭିଭିପାଟ୍ ମାଧ୍ୟମରେ ଗଣନାର ପ୍ରାକ୍ଟିକାଲ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଦର୍ପଣ ତହସିଲଦାର ଅଶୋକ ଦାସ, ରସୁଲପୁର ଏବିଡିଓ ଅସିତ ପାତ୍ର, ଯାଜପୁର ଅତିରିକ୍ତ ତହସିଲଦାର ଅସ୍ମିତା ଦାଶ ଓ ଯାଜପୁର ବ୍ଲକ ଠାରେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ, ଯାଜପୁର ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ଦାଶ, ଡିଏସ୍ଆର୍ ପ୍ରଦୀପ କୁମାର ସେଠୀ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର