ଯାଜପୁରରେ ଜାଲ ନୋଟ୍ କାରବାର : ମହିଳା କାର୍ପଟଦାର ଅଟକ, ୧୪ ହଜାର ଟଙ୍କା ଜବତ

ଯାଜପୁର ସଦର : ଯାଜପୁରରେ ଜାଲ ନୋଟ୍ କାରବାର କାୟା ମେଲାଇଛି। ଆଜି ଜଣେ ମହିଳାଙ୍କଠାରୁ ୧୪ ହଜାର ଟଙ୍କାର ଜାଲ ନୋଟ୍‌ ଜବତ ହେବା ପରେ ଏହି ଘଟଣା ସ୍ପଷ୍ଟ ହୋଇଛି। ଟାଉନ ଥାନା ପୁଲିସ ଆଜି ଯୋଡିକୂଅ ଛକ ଠାରେ ଜାଲ ନୋଟ କାରବାର କରୁଥିବା ମହିଳାଙ୍କୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି। ଅନ୍ୟପଟେ ମହିଳାଙ୍କ ବାପଘର ଓ ଶଶୁର ଘରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଂଝାରପୁର ଥାନା କପିଳା ବରପଦା ଗ୍ରାମର ପ୍ରଫୁଲ୍ଲ ରାୟଙ୍କ ପତ୍ନୀ ଲୁସି ପରିଡା(୨୭) ଯାଜପୁରର ଅଠରନଳା ଛକ ଠାରେ ତେଜରାତି ଦୋକାନ କରିଥିବା ବ୍ୟବସାୟୀ ଗୋବିନ୍ଦ ଚନ୍ଦ୍ର ନାଥଙ୍କୁ ଜାଲ ନୋଟ ଦେଇ ଜିନିଷ ନେଇଥିଲେ। ଏହି ନୋଟ୍ ଜାଲ ବୋଲି ପରିବାର ଲୋକଙ୍କ ଠାରୁ ଗୋବିନ୍ଦ ଜାଣିବା ପରେ ମୁଣ୍ଡକାନ ଆଉଁଶି ଚୁପ୍‌ ରହି ରହିଥିଲେ। ଯଦି ଆଉ ଦିନେ ସଂପୃକ୍ତ ମହିଳା ଦୋକାନକୁ ଆସିବେ ତାଙ୍କୁ ଧରିବାକୁ ମନେ ମନେ ପାଞ୍ଚିଥିଲେ। ଆଜି ସେହି ସୁଯୋଗ ମିଳିଯାଇଥିଲା। ଲୁସି ଆଜି ଦୋକାନକୁ ଯାଇ କିଛି ‌ଜିନିଷ କିଣିବା ପରେ ୨ ହଜାର ଟଙ୍କିଆ ନୋଟ୍ ଦେଇଥିଲେ। ମହିଳା ଜଣକକୁ ପୂର୍ବରୁ ବ୍ୟବସାୟୀ ଚିହ୍ନିଥିବାରୁ ଆଜି କାବୁ କରି ନେଇଥିଲେ।

ଖବର ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଥାନାକୁ ଆଣିଥିଲେ। ତାଙ୍କ ନିକଟରୁ ୭ ଖଣ୍ଡ ୨ ହଜାର ଟଙ୍କିଆ ନୋଟ ଏବଂ ୪ଟି ମୋବଇଲ ଫୋନ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର