ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ଷଷ୍ଠ ଦିନରେ କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା’

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ବୁଧବାର ଷଷ୍ଠ ଦିନରେ ପହଂଚିଛି।

ଏହି ଅବସରରେ ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଦୁର୍ଲଭ କାତ୍ୟାୟନୀ ବେଶରେ ଭୂଷିତ କରାଯାଇଛି। ପରେ ଷୋଡଶ ଉପଚାର ପୂଜା ଏବଂ ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦିଆଯାଇଛି। ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିଛନ୍ତି। ମନ୍ଦିର ବେଢାରେ ଆଜି କମିଟିର ସଦସ୍ୟମାନେ ଜଗନ୍ନାଥଙ୍କ ଟଙ୍କ ତୋରାଣି ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଛନ୍ତି।

ଦେବୀ କାଳରାତ୍ରୀ ବେଶରେ ଗୁରୁବାର ଦର୍ଶନ ଦେବେ ବୋଲି ମନ୍ଦିର ପୂଜକ ମନୋରଞ୍ଜନ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟିର ସଂପାଦକ ଲକ୍ଷ୍ମୀଧର ମହାନ୍ତି ପ୍ରତିନିଧିଙ୍କୁ ଜଣାଇଛନ୍ତି। ଯଜ୍ଞର ମୁଖ୍ୟ ପୂଜକ ମଧୁସୂଦନ ମିଶ୍ର, ନୀଳକଣ୍ଠ ମିଶ୍ର, ସୁକାନ୍ତ ମହାପାତ୍ର, ତପନ ମହାପାତ୍ର ଯଜ୍ଞ ପରିଚାଳନା କରିଥିଲେ, ବିଜୟ କୁମାର ପଣ୍ଡା ମାଙ୍କୁ ପ୍ରତ୍ୟେକ ସନ୍ଧ୍ୟାରେ ବେଶ କରାଉଛନ୍ତି।

ସମ୍ବନ୍ଧିତ ଖବର