ସୁବ୍ରତ ସିଂହଙ୍କ ଡ୍ରାଇଭର ହତ୍ୟାକାଣ୍ଡ ମାମଲାରେ ଜେଲ ଗଲେ ବିଜେପି ନେତା ଜୟନାରାୟଣ ମିଶ୍ର

ସମ୍ବଲପୁର: ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କୁ ମରଣାନ୍ତକ ଆକ୍ରମଣ ଓ ତାଙ୍କ ଡ୍ରାଇଭର ଡିଲେଶ୍ୱରଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଗୁରୁବାର ପୁଲିସ ଗିରଫ କରିବା ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଅାଯାଇଛି।

ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନ ସମୟରେ ବରଗଡ଼ ଜିଲ୍ଲା ସୋହେଲା ଥାନା ବନବିରା ଗାଁ ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କୁ ମରଣାନ୍ତକ ଆକ୍ରମଣ ଓ ତାଙ୍କ ଡ୍ରାଇଭର ଡିଲେଶ୍ୱରଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ନେଇ ପୁଲିସ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଗୁରୁବାର ସକାଳୁ  ଗିରଫ କରି ସମ୍ବଲପୁରରୁ ବରଗଡ଼ ଜିଲ୍ଲା ସୋହେଲା ଥାନାକୁ ନେଇଥିଲା।

ଆଜି ପଦ୍ମପୁର ଏସଡିପିଓ ଳକ୍ଷ୍ମୀ ନାରାୟଣ ପଣ୍ଡା ସଦଳବଳେ ସମ୍ବଲପୁରରେ ପହଞ୍ଚି ଶ୍ରୀ ମିଶ୍ରଙ୍କ ଘରକୁ ଯାଇ ଜୟନାରାୟଣ ମିଶ୍ରଙ୍କୁ ଥାନାକୁ ଯିବା ପାଇଁ କହିଥିିଲେ। ତେବେ ଏହାକୁ ନେଇ ସେଠାର କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ଏତଦ୍‌ବ୍ୟତୀତ ପୁଲିସ ଶିବ ଦିଓ୍ଵାନ ନାମକ ଜଣେ ବିଜେପି କର୍ମୀ ଓ ଆଇନଜୀବୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଥାନାକୁ ନେଇଛି।

ତେବେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କୁ ପୁଲିସ ଉଠାଇ ନେବା ବେଳେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଏହାକୁ ବିରୋଧ କରିଥିଲେ । ଫଳରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ପରିସ୍ଥିତି ସାମାନ୍ୟ ହେବା ପରେ ପୁଲିସ ଜୟନାରାୟଣ ମିଶ୍ର ଓ ତାଙ୍କ ସହଯୋଗୀଙ୍କୁ ନେଇଥିଲା। ବନାବିରା ଗୁଳିକାଣ୍ଡ ଘଟଣାରେ ପୁଲିସ ପୂର୍ବରୁ ୬ଜଣଙ୍କୁ ଗିରଫ କରିଛି । ଫେବ୍ରୁଆରି ୨୨ତାରିଖ ରାତିରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ବନାବିରା ଅଞ୍ଚଳରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଓ ତାଙ୍କର ସହଯୋଗୀଙ୍କ ଉପରେ ଗୁଳିମାଡ ହୋଇଥିଲା । ତାଙ୍କ ଗାଡି ଉପରକୁ ଟେକା ପଥର ମାଡ ଓ ଅନ୍ଧାଧୁନିଆ ଗୁଳିମାଡ ହୋଇଥିଲା । ଏଥିରେ ସୁବ୍ରତ ସିଂ ଆହତ ହୋଇଥିବା ବେଳେ କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା ।

ଜୟନାରାୟଣଙ୍କ ଗିରଫଦାରୀ ପରେ ଆଇନ ତା ବାଟେରେ ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି, ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ ବୋଲି ସୁଶାନ୍ତ କହିଛନ୍ତି । ଯିଏ ଦୋଷୀ ତାକୁ ଗିରଫ କରାଯିବ , ତଦନ୍ତ ଆଧାରରେ ତାଙ୍କୁ ଅଟକ ରଖାଯାଇଛି ଏବଂ ଘଟଣା ପରଠୁ ସେ ଫେରାର ଥିଲେ, ବିଜେପିର ଅବସ୍ଥା ଦେଖି ସେ ଆତ୍ମସମର୍ପଣ କରିଥିବା କହିଛନ୍ତି ସୁଶାନ୍ତ ସିଂହ।

ସମ୍ବନ୍ଧିତ ଖବର