ଝାରସୁଗୁଡ଼ା କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ନେଇ ପ୍ରଶ୍ନ, ରୋଗୀଙ୍କୁ ପଠାଯାଉଛି ରାଉରକେଲା

ଝାରସୁଗୁଡ଼ା: ସାରା ଦେଶ ରାଜ୍ୟରେ କରୋନା ସଂକ୍ରମଣ କାୟା ମେଲାଉଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ଏହି ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ଦେଖା ଯାଉଛି। ଝାରସୁଗୁଡ଼ା ଜିଲ୍ଲାରେ ଅଦ୍ୟାବଧି ୫ ଜଣ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ଦୁଇ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ଏପ୍ରିଲ ୩୦ ତାରିଖ ଦିନ ଜିଲ୍ଲାର ବ୍ରଜରାଜନଗର ଠାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହାପରେ ଚଳିତ ମାସ ୩ ତାରିଖ ଦିନ ଲଖନପୁର ବ୍ଳକରେ ଦ୍ବିତୀୟ ସଂକ୍ରମିତ ଚିହ୍ନଟ ହୋଇଥିଲା। ଉଭୟ ସଂକ୍ରମିତ ସୁସ୍ଥ ଗତ ୧୧ ତାରିଖ ଦିନ ସୁସ୍ଥ ହୋଇ ଫେରିଥିବା ବେଳେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ଦ୍ବିତୀୟ ସଂକ୍ରମଣର ଏ ଉଣେଇଶ ଦିନ ପରେ ଗତ ୨୨ ତାରିଖ ରାତିରେ ଝାରସୁଗୁଡ଼ା ସହରର ଦୁଇଜଣ ଶିଶୁ ଓ ବ୍ରଜରାଜନଗର ଠାରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ଦୁଇ ଶିଶୁଙ୍କୁ ଝାରସୁଗୁଡ଼ା କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ରଖାଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ବେଳେ ପଞ୍ଚମ ସଂକ୍ରମିତ ବ୍ରଜରାଜନଗର ହିଲଟପ ଟିଏମ୍ସିରେ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କୁ ଝାରସୁଗୁଡ଼ା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ଝାରସୁଗୁଡ଼ା ମଙ୍ଗଲବଜାର ପୁରୁଣା କୋଠାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ଏକ ଡେଡିକେଟେଡ୍ କୋଭିଡ୍ ହସପିଟାଲ ନିର୍ମାଣ କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଏଥି ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିବା ବେଳେ ଦେବାନ୍ତ ସିଏସ୍ଆର୍ ପାଣ୍ଠିରୁ ମଧ୍ୟ ଏଥିରେ ସହଯୋଗ କରାଯାଇଛି। ଏହି ହସପିଟାଲ ପରିଚାଳନା ପାଇଁ ଭୁବନେଶ୍ବର ହାଇଟେକ୍ ହସପିଟାଲ ମେଡିକାଲ କଲେଜ ସହିତ ଚୁକ୍ତି କରାଯାଇଛି। ତେବେ ଝାରସୁଗୁଡ଼ା ଠାରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଥିବା ବେଳେ ଏହି ହସପିଟାଲରେ ସେମାନଙ୍କୁ ଚିକିତ୍ସା କରାନଯାଇ ଏଠାରୁ ୧୩୦ କିମି ଦୂର ରାଉରକେଲା କୋଭିଡ୍ ହସପିଟାଲକୁ ପଠାଯାଉଥିବା ନେଇ ସାଧାରଣରେ ଝାରସୁଗୁଡ଼ା କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଗତ ୩ ତାରିଖ ଦିନ ଲଖନପୁର ଠାରେ ଦ୍ବିତୀୟ ସଂକ୍ରମିତ ରୋଗୀଙ୍କୁ ଝାରସୁଗୁଡ଼ା କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ୫ ତାରିଖ ଦିନ ପୁଣି ସେହି ରୋଗୀକୁ ଝାରସୁଗୁଡ଼ାରୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ପିପିଇ ଅଭାବ ଯୋଗୁଁ ଜଣେ ରୋଗୀ ପାଇଁ ଏକାଧିକ ପିପିଇ ନଷ୍ଟ ନକରିବା ଓ ଜଣେ ରୋଗୀ ପାଇଁ ସାରା ହସପିଟାଲ ଡାକ୍ତର କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ ପଡ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଉକ୍ତ ମହିଳାଙ୍କୁ ରାଉରକେଲା ସ୍ଥାନାନ୍ତର କରାଗଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହାପରେ ଗୋଟିଏ ଦିନରେ ତିନି ଜଣଙ୍କ ଦେହରେ କରୋନା ପଜିଟିଭ୍ ଚିହ୍ନଟ ହେବା ସତ୍ତ୍ବେ ଏହି ହସପିଟାଲ ବ୍ୟବହାର କରାଯାଇନଥିଲା।

ସଂକ୍ରମିତ ମାନଙ୍କୁ କେଉଁଠି ରଖାଯାଇ ଚିକତ୍ସା କରାଯିବା ତାହା ଭୁବନେଶ୍ବରରେ ରାଜ୍ୟ ଶାସନ ସଚିବ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ଏମ୍ଡି ନିଷ୍ପତ୍ତି ନିଅନ୍ତି ବୋଲି ସିଡିଏମ୍ଓ ଡା. ଜଗଦୀଶ ଚନ୍ଦ୍ର ବାରିକ କହିଥିଲେ। ଏ ନେଇ କୋଭିଡ ୧୯ ଜିଲ୍ଲା ନୋଡାଲ ଅଧିକାରୀ ଦାୟିତ୍ବରେ ଥିବା ଡା. ଡୋଳାମଣୀ ପଟେଲଙ୍କ ଠାରୁ ଜାଣିବାକୁ ପାଇଲୁ ଯେ, ଜିଲ୍ଲାରେ ୧୦ ଗୋଟି କୋଭିଡ୍ କେୟାର ସେଣ୍ଟର(ସିସିସି) ଅଛି। ଏହା ବ୍ୟତୀତ ପୂର୍ବରୁ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଏବେ ଟେମ୍ପରାରୀ ମେଡିକାଲ ସେଣ୍ଟର( ଟିଏମ୍ସି) କରାଯାଇଛି। ଯାହାର ସଂଖ୍ୟା ଜିଲ୍ଲାରେ ଏବେ ୧୪୨ଗୋଟି। ସିସିସିରେ ସନ୍ଦଗ୍ଧ କରୋନା ରୋଗୀ, କରୋନା ପଜିଟିଭ୍ ଥିବା, ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ରଖାଯାଇ ସ୍ବାସ୍ଥ୍ୟସେବା ଦିଆଯାଏ।

ଏଠାରେ ୨୪ ଘଣ୍ଟିଆ ମେଡିକାଲ ଟିମ୍ ରୁହନ୍ତି। ଟିଏମ୍ସିରେ ପ୍ରବାସୀ ମାନ ରହୁଥିବା ବେଳେ ସେଠାରେ ତାହା ବ୍ଲକ ଓ ସ୍କୁଲ କର୍ମଚାରୀ ନିୟୋଜିତ ହୋଇଥାନ୍ତି। ମେଡିକାଲ ଟିମ୍ ସେମାନଙ୍କ ସ୍ବାବ୍ ସଂଗ୍ରହ କରିଥାନ୍ତି। କୋଭିଡ୍ ହସପିଟାଲରେ କେବଳ ସଂକଟାପନ୍ନ ରୋଗୀଙ୍କୁ ରଖାଯାଇ ଚିକତ୍ସା କରାଯାଇଥାଏ। ଏଠାରେ ଯେଉଁମାନଙ୍କୁ ଅମ୍ଳଜାନ ଓ ଭେଣ୍ଟିଲଟରର ଆବଶ୍ୟକ ଥାଏ ତାଙ୍କୁ ଚିକିତ୍ସା ପାଇଁ ରଖାଯାଏ। ତେବେ ପିପିଇ ଖର୍ଚ୍ଚ କମ କରିବା ପାଇଁ ଓ ଗୋଟିଏ ସଂସ୍ଥା ରାଉରକେଲା ଓ ଝାରସୁଗୁଡ଼ା ହସପିଟାଲର ପରିଚାଳନା ଦାୟିତ୍ବ ନିର୍ବାହ କରୁଥିବାରୁ ଏବେ ରାଉରକେଲା କୋଭିଡ୍ ହସପିଟାଲକୁ ରୋଗୀ ପଠା ଯାଉଛି। ରାଉରକେଲା ଠାରେ ଶଯ୍ୟା ପୂରଣ ହେଲେ ତାପରେ ଝାରସୁଗୁଡ଼ା କୋଭିଡ୍ ହସପିଟାଲରେ ରୋଗୀ ରଖାଯାଇ ଚିକତ୍ସା କରାଯିବ ବୋାଲି ଡା. ପଟେଲ ସ୍ପଷ୍ଟ କିଥିଲେ।

ସମ୍ବନ୍ଧିତ ଖବର