ବ୍ରେକ୍‌ ଫେଲ୍‌ ପରେ ପାଚେରି ଭାଙ୍ଗିଲା ସ୍କୁଲ ବସ୍‌

ବ୍ରଜରାଜନଗର: ଓରିଏଣ୍ଟ ଖଣିକ୍ଷେତ୍ର ଅଧୀନରେ ଏକମାତ୍ର ନିଜସ୍ୱ ସ୍କୁଲ ବସ (ସିଓଆରଡବ୍ଲୁ ୬୩୨) ନିୟନ୍ତ୍ରଣ ହରାଇ ଓରିଏଣ୍ଟ ସବଏରିଆ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ନେତାଜୀ ଭବନର ପାଚେରି ଭାଙ୍ଗି ଦେଇଛି। ବୁଧବାର ସକାଳ ୭ଟାରେ ଏହି ଘଟଣା ଦ୍ୱାରା ଉତ୍ତେଜନା ପ୍ରକାଶ ପାଇଛି। ଡ୍ରାଇଭର ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ ବ୍ରେକ୍‌ ଫେଲ୍‌ ହୋଇଥିଲା। କୌଣସି ଉପାୟ ନ ପାଇ ସେ ପାଚେରି ପଟେ ଗାଡ଼ିଟିକୁ ମୁହାଁଇବାରୁ ତାହା ବାଡ଼ ଭାଙ୍ଗି ଅଟକିଥିଲା। ବସରେ କୌଣସି ଛାତ୍ରଛାତ୍ରୀ ନଥିଲେ। ତେବେ, ଏହି ଘଟଣା ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାରୁ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରମିକ ନେତା ଆଲୋକ ପଣ୍ଡା ମହାପ୍ରବନ୍ଧକ ରାମଝୁଲଣ ଚୌଧୁରୀଙ୍କୁ ଭେଟି ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନ ହୁଏ ସେନେଇ ସତର୍କ କରିଥିଲେ। ଓରିଏଣ୍ଟ କ୍ଷେତ୍ରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ୪ଟି ବସ ନିୟୋଜିତ ହୋଇଛି।

ସେଗୁଡ଼ିକ ମଧ୍ୟରୁ ୩ଟି ବସ ଠିକାରେ ଚାଲୁଥିବା ବେଳେ ଗୋଟିଏ ବସ ଓରିଏଣ୍ଟ ଅଧୀନରେ ରହିଛି। ଜଣେ ମେକାନିକ ଅଛନ୍ତି। ତାଙ୍କ ମଧ୍ୟ ଇବଭ୍ୟାଲି କ୍ଷେତ୍ରକୁ ବଦଳି ପାଇଁ ଯୋଜନା ରହିଥିବା ଜଣାପଡ଼ିଛି। ବସ୍‌ ବାହାରିବା ପୂର୍ବରୁ ତାକୁ ଯାଂଚ କରିବା ହେଲା ମେକାନିକଙ୍କ ଦାୟିତ୍ୱ। ତେବେ, ପିଲାଙ୍କ ଜୀବନକୁ ବାଜି ଲଗାଇ ଏହି ବସ ଚାଲୁଥିବା ଅଭିଯୋଗ ହୋଇଛି। ବସଟିର ଆବଶ୍ୟକ ଅନୁମତିପତ୍ର ଓ ତନଖି ସ୍ୱୀକୃତି ତଥା କ୍ଷମତାପ୍ରାପ୍ତ ଅଧିକାରୀ କରିଥିଲେ କି ନାହିଁ ଏହା ଉପରେ ତଦନ୍ତ କରିବାକୁ ଶ୍ରମିକ ସଂଗଠନଗୁଡ଼ିକ ଦାବି କରିଛନ୍ତି। ଓସିଏମଏସ ପକ୍ଷରୁ ଆଲୋକ ପଣ୍ଡା, ପାଣୁ ସେଠୀ, କ୍ଷୀରୋଦ କୁଅଁର, ଅମରନାଥ ସିଂ ପ୍ରମୁଖ ଏନେଇ ମହାପ୍ରବନ୍ଧକଙ୍କୁ ସାକ୍ଷାତ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣାର ତଦନ୍ତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏ ବାବଦରେ ମନିଷ ଶ୍ରୀବାସ୍ତବଙ୍କୁ ପଚରାଯିବାରୁ ବସଗୁଡ଼ିକ ଇଏଣ୍ଡଏମ ବିଭାଗ ଦେଖୁଥିବା କହିବା ସହ ତଦନ୍ତ ରିପୋର୍ଟର୍କୁ ଭିତ୍ତି କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର