ଠାକୁରପଡ଼ାରେ ବଧୂହତ୍ୟା ଅଭିଯୋଗ:ଅଭିଯୁକ୍ତ ସ୍ୱାମୀ ଗିରଫ

ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଠାକୁରପଡ଼ା ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି। ନିର୍ଯାତନା ଦେଇ ମହିଳାଙ୍କୁ ମାରି ଦେଇଥିବା ସଂକ୍ରାନ୍ତରେ ପରିବାର ପକ୍ଷରୁ ଥାନାରେ ସୂଚନା ଦିଆଯାଇଛି। ପ୍ରାଥମିକ ତଦନ୍ତ କରି ସ୍ୱାମୀ ବିଶ୍ୱାମିତ୍ର ଚୌଧୁରୀଙ୍କୁ ପୁଲିସ ଗିରଫ କରିବା ସହ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ମାୟାବାହାଲ ଗାଁର ନରସିଂହ ତମ୍ବେଲଙ୍କ ଝିଅ ଝରଣାଙ୍କୁ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଠାକୁରପଡ଼ା ଗାଁର ରମ୍ଭାବତୀ ଚୌଧୁରୀଙ୍କ ପୁତ୍ର ବିଶ୍ୱାମିତ୍ର ଚୌଧୁରୀ ବିବାହ କରିଥିଲେ। ଗତ ୨୨.୦୫.୨୦୧୭ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ, ମହିଳାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ, ବିବାହର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ଶାଶୂ ରମ୍ଭାବତୀ ଓ ସ୍ୱାମୀ ବିଶ୍ୱାମିତ୍ର ଦୁହେଁ ମିଶି ବୋହୂ ଝରଣା ଚୌଧୁରୀ (୨୩)ଙ୍କୁ ବିଭିନ୍ନ ଆଳରେ ନିର୍ଯାତନା ଦେଉଥିଲେ। ଗତ ବୁଧବାର ‘ତୁମ ଝିଅର ପେଟ ବଥା ହେଉଛି’ କହି ଫୋନ କରାଇଥିଲେ ସୁନ୍ଦରଗଡ଼ ଜିଲ୍ଲା ବାପ ଘରକୁ।

ବୁଧବାର ରାତି ୯ଟା ସମୟରେ ଠାକୁରପଡ଼ାରେ ପହଞ୍ଚି ଦେଖିଲା ବେଳକୁ ଏକ ଗୁହାଳ ଘର ଭିତରେ ରଶିରେ ଝୁଲୁଛି ଝିଅ ଝରଣା। ସେତେବେଳକୁ ସବୁ ସରିଯାଇଥିଲା। ଝରଣାଙ୍କ ପରିବାର ପକ୍ଷରୁ ଲଇକେରା ଥାନାରେ ଲିିଖିତ ଅଭିଯୋଗ ପରେ ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଛନ୍ତି। ତେବେ, ଘଟଣା ସଂପର୍କରେ ତଦନ୍ତ ଚାଲିଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର