ଅଂଜୁ କିସାନ ମୃତ୍ୟୁର ତଦନ୍ତ ଦାବି

ଝାରସୁଗୁଡ଼ା: ଲଖନପୁର ବ୍ଲକ ବଞ୍ଜାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅଂଜୁ କିସାନଙ୍କ ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳୁଥିବା ବେଳେ ଝାରସୁଗୁଡ଼ା ନୀଳମାଧବ ଆଦିବାସୀ ସେବା ସଂଘ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି। ସଂଘ ପକ୍ଷରୁ ଆଜି ଏକ ଦାବିପତ୍ର ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଉପଜିଲ୍ଳାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଅଂଜୁଙ୍କୁ ସେହି ବିଦ୍ୟାଳୟରେ ଗତ ମାସ ୨୯ ତାରିଖରେ ମିଞ୍ଜିଲସ୍‌ ରୁବେଲା ଟୀକା ଦିଆଯାଇଥିଲା। ୩ ତାରିଖ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚି ଅଂଜୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଦେଖିଥିଲେ। ୫ ତାରିଖ ଦିନ ସକାଳେ ଝାରସୁଗୁଡ଼ା ଡାକ୍ତରଖାନା ଆଣିବା ବାଟରେ ତାର ମୃତ୍ୟୁ ହୋଇଥିଲା। ପ୍ରଥମେ ଟୀକା ଯୋଗୁଁ ତାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ଓ ଏହାକୁ ଜିଲ୍ଲା ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଖଣ୍ଡନ କରିଥିଲେ।

ତେବେ ବିଦ୍ୟାଳୟରେ ଗୁରୁତର ଅସୁସ୍ଥ ହୋଇଥିବା ଜଣେ ଛାତ୍ରୀଙ୍କୁ ଚିକିତ୍ସା ନକରି ତାଙ୍କ ପରିବାର ଲୋକଙ୍କୁ ଡାକି କାହିଁକି ନେଇଯିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଲେ ସେ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ଛାତ୍ରୀଙ୍କୁ ଚିକିତ୍ସା କରୁଥିବା ପିପିଲିମାଲ ଗ୍ରାମର କୁଆକ୍‌ର ଭୂମିକା ମଧ୍ୟ ସଂଦେହ ଘେରରେ ରହିଛି। ଅସୁସ୍ଥ ହୋଇପଡ଼ିଥିବା ଛାତ୍ରୀଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନକରି କୁଆକ୍‌ ମାଧ୍ୟମରେ ଚିକତ୍ସା କରାଯାଇଥିବା ଭାରପ୍ରାପ୍ତ ସିଡ଼ିଏମ୍‌ଓ କହିଛନ୍ତି। କାହାର ଅବହେଳା ଯୋଗୁଁ ଏହି ଆଦିବାସୀ ଛାତ୍ରୀଙ୍କ ଅକାଳ ବିୟୋଗ ହେଲା, ଛାତ୍ରୀଙ୍କୁ ଉଚ୍ଚ ଚିକିତ୍ସା ଯୋଗାଇ ନଦେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ତାଙ୍କ ପରିବାର ଲୋକଙ୍କୁ ନେଇଯିବାକୁ କହିଲେ? ଏ ସବୁ ସଂଦେହ ଘେରକୁ ଆସୁଥିବାରୁ ଛାତ୍ରୀମୃତ୍ୟୁର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ନିରପେକ୍ଷ ତଦନ୍ତ ହେଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ନୀଳମାଧବ ଆଦିବାସୀ ସଂଘ ପକ୍ଷରୁ ରଞ୍ଜିତ କିସାନ, ରାଜକୁମାର କିସାନ, ଅନିଲ ଖଣ୍ଡ, ନୀଳମଣି କିସାନ, ହେମନ୍ତ କିସାନ ପ୍ରମୁଖ ଦାବି କରାଯାଇଛି।

ସମ୍ବନ୍ଧିତ ଖବର