ପାଇପ୍‌ଲାଇନ କାମକୁ ବିରୋଧ

ଇବଥର୍ମାଲ: ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲିରେ ନିର୍ମାଣାଧୀନ ଏନଟିପିସି ପାଓ୍ଵାର ପ୍ଲାଣ୍ଟକୁ ହୀରାକୁଦ ଜଳଭଣ୍ଡାରରୁ ପାଣି ନେବା ଲାଗି ପାଇପ ବିଛେଇବା କାମ ଆରମ୍ଭ ହୋଇ ଯାଇଛି। ତେବେ ଏହି କାର୍ଯ୍ୟକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା। ପୂର୍ବରୁ ବି ଛଡ଼ାରମା ଠାରେ ଏହି କାର୍ଯ୍ୟ ଆରମ୍ଭ ବେଳେ ବିଭିନ୍ନ ଦାବି ନେଇ ତେଲେନପାଲି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ପରେ ଜିଲ୍ଲା ପ୍ରଶାସନ ମଧ୍ୟସ୍ଥତାରେ ତ୍ରିପାକ୍ଷିକ ବୈଠକ ବସିଥିଲା। ଏନଟିପିସି କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଦାବି ମାନି ନେବାରୁ କାମ ଯୋରସୋରରେ ଚାଲିଥିଲା। ହେଲେ ଉପରୋକ୍ତ ଦାବି ପୂରଣ ନହେବା ଫଳରେ ତେଲେନପାଲି ସରପଞ୍ଚ ବିଶାଖା ମାଝୀ, ପୂର୍ବ ସରପଞ୍ଚ ହେମାଙ୍ଗିନୀ ବିଶି, ଓ୍ଵାର୍ଡ ସଭ୍ୟା କଳ୍ପନା ବିଶି, ଡୋଳାମଣି ପ୍ରଧାନ, ସତ୍ୟାନନ୍ଦ ବିଶିଙ୍କ ନେତୃତ୍ୱରେ ଗ୍ରାମର ମହିଳା ସୁରକ୍ଷା କମିଟି ଏବଂ ଗ୍ରାମବାସୀ ବୁଧବାର କାମ ବନ୍ଦ କରି ଦେଇଛନ୍ତି।

ସେମାନଙ୍କ କହିବା କଥା ହେଲା ଯେ ଗାଁରେ ଯଜ୍ଞ ମଣ୍ଡପ ଏବଂ ଗେଟ୍‌ ନିର୍ମାଣ, ଚାଷ ଜମିରେ ଯେତେ ବର୍ଷ ପାଇପ୍‌ଲାଇନ କାମ ହେବ ସେତେବର୍ଷ ଉଚିତ ଦରରେ କ୍ଷତିପୂରଣ ପ୍ରଦାନ, ପାଇପ ବିଛା ସରିବା ପରେ ଜମିକୁ ପୂର୍ବପରି ସମତଳ କରିବା, ୬୩୨ ଏଲଆର୍‌ରେ ଚାଷ କରୁଥିବା ଜମିଧାରୀଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ, ସ୍କୁଲ ଓ କ୍ଲବକୁ ଉପକରଣ ପ୍ରଦାନ ଆଦି ପାଇଁ କର୍ତ୍ତୃପକ୍ଷ ରାଜି ହୋଇଥିଲେ। ହେଲେ ସ୍କୁଲ ଓ କ୍ଲବକୁ ମାତ୍ର ୧୦ ପ୍ରତିଶତ ଉପକରଣ ଦେଇ ଚୁପ ବସିଗଲେ। କାମ ବନ୍ଦ ଥିବା ଜାଣିବା ପରେ କମ୍ପାନି ଅଧିକାରୀ ସୁଧୀର ପାଣି ଏବଂ ଅନ୍ୟ କର୍ମଚାରୀ ଆସି ଲୋକଙ୍କୁ ଦୁଇ ମାସ ମଧ୍ୟରେ ପ୍ରତିଶ୍ରୁତି ପାଳନ କରାଯିବ ବୋଲି ବୁଝେଇ ଥିଲେ ମଧ୍ୟ ଲୋକେ ଜିଦ୍‌ରେ ଅଟଳ ଥିଲେ। ଯେତେ ଦିନ ପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀ ଗାଁକୁ ଆସି ଗ୍ରାମବାସୀଙ୍କ ସର୍ବ ସମ୍ମୁଖରେ ଲିଖିତ ପ୍ରତିଶ୍ରୁତି ଦେଇ ନାହାନ୍ତି ସେତେବେଳ ପର୍ଯ୍ୟନ୍ତ କାମ କରାଇଦେବୁ ନାହିଁ ବୋଲି ଶୁଣାଇ ଦେଇଥିଲେ। କମ୍ପାନି ଅଧିକାରୀଙ୍କ ମତ ସର୍ମ୍ପକରେ ଶ୍ରୀ ପାଣିଙ୍କ ମୋବାଇଲ ନମ୍ବରରେ ବାରମ୍ବାର ଯୋଗାଯୋଗ କରାଗଲେ ମଧ୍ୟ ସେ ଫୋନ ଉଠେଇ ନଥିଲେ।

ସମ୍ବନ୍ଧିତ ଖବର