ବଢ଼ୁଛି ତାପମାତ୍ରା:ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚିନ୍ତା ନାହିଁ

ଇବ୍‌ଥର୍ମାଲ: ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ବଢ଼ିବାରେ ଲାଗିଛି। ଶନିବାର ଝାରସୁଗୁଡ଼ାରେ ତାପମାତ୍ରା ୪୩.୪ ଡିଗ୍ରି ଥିବା ବେଳେ ତାତି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ପ୍ରଚଣ୍ଡ ରୌଦ୍ରତାପ ସମଗ୍ର ଲଖନପୁର ଅଂଚଳକୁ ମଧ୍ୟ ଅସ୍ତବ୍ୟସ୍ତ କରୁଛି। ଖଣି ଓ ଶିଳ୍ପାଂଚଳ ହୋଇଥିବାରୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲାର ତାପମାତ୍ରାଠାରୁ ଅଂଚଳରେ ସବୁବେଳେ ୧ରୁ ୨ ଡିଗ୍ରି ଅଧିକ ଥିବା ଅନୁମାନ କରାଯାଉଛି। ବିଶେଷ କରି କୋଇଲାରେ ନିଅାଁ ଲାଗି ଧୂଅାଁ ହେବା ସହ କୋଇଲା ଗୁଣ୍ଡର ବ୍ୟାପକ ପ୍ରଦୂଷଣ ଯୋଗୁଁ ସକାଳ ୮ଟାରୁ ଖରାର ପ୍ରକୋପ ଅସହ୍ୟ ହେଉଛି। ରାତି ୯ଟା ପର୍ଯ୍ୟନ୍ତ ଝାଞ୍ଜି ପବନ ପ୍ରଭାବ ଯୋଗୁଁ ବାହାରକୁ ବାହାରିବା ଦିନକୁ ଦିନ ମୁସକିଲ ହେଉଛି। ଏବେଠାରୁ ଦିନ ୧୧ଟା ପରେ ଲୋକେ ପଦାକୁ ବାହାରିବା ଉଚିତ ମଣୁନାହାନ୍ତି। ଆଗକୁ ତାତି କେତେ ହେବ ତାହା ହିଁ ଲୋକଙ୍କ ମୁଖ୍ୟ ଚିନ୍ତାର କାରଣ ପାଲଟିଛି। ସାଧାରଣ ଲୋକ ତାପମାତ୍ରା ଯୋଗୁଁ ଭୟଭୀତ ହେଉଥିବା ବେଳେ ପଶୁପକ୍ଷୀ ମଧ୍ୟ ଗଛ ଛାଇ ଜାଗା ଛାଡ଼ି ଖରା ମାଡ଼ୁନାହାନ୍ତି।

ବର୍ଷ ବର୍ଷ ଧରି ଏ ଅଂଚଳ ସବୁବେଳେ ଅଧିକ ଉତ୍ତପ୍ତ ଅଂଚଳ ଭାବେ ଖରା ଦିନରେ ଜଣାଶୁଣା। କେବଳ ସେତିକି ନୁହେଁ, ବର୍ଷ ବର୍ଷ ଏ ଅଂଚଳରେ ତାପମାତ୍ରା ବଢ଼ି ବଢ଼ି ଚାଲିଛି। ଏ ଅଂଚଳରେ ଥିବା ଶିଳ୍ପ କାରଖାନା, କୋଇଲା ଖଣି ଯୋଗୁଁ ଯେତେ ପରିମାଣରେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ତାହା ମଧ୍ୟ ଏ ଅଂଚଳ ତାପମାତ୍ରା ବୃଦ୍ଧିର ଆଉ ଏକ ପ୍ରମୁଖ କାରଣ। ବିକଳ୍ପରେ ଯେଭଳି ଜଙ୍ଗଲ ସୃଷ୍ଟି କରିବା କଥା କି ତାପମାତ୍ରାକୁ ସ୍ଥିର ରଖିବାରେ ଯେଉଁ ଉପାୟ ମାନ ସବୁ କାର୍ଯ୍ୟକାରୀ କରିବା କଥା ତାହା କରାଯାଇପାରୁ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ଆବଶ୍ୟକ ପରିଚାଳନା ପଦ୍ଧତି ପ୍ରତି ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ପ୍ରଶାସନ ବିଫଳ ରହୁଛି। ବିଷାକ୍ତ ଓ ଗରମ ଗ୍ୟାସ ପରିବେଶ ପ୍ରଦୂଷିତ କରୁଛି ସତ, ତା’ ସାଂଗକୁ ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିର ମୂଳ କାରଣ ହୋଇଛି। ଏ ଅଂଚଳରେ ଯେତିକି ଜଙ୍ଗଲକ୍ଷୟ ହୋଇଛି ତା’ ତୁଳନାରେ ବନୀକରଣ ଯୋଜନାର ବାସ୍ତବତା ଅଲଗା। ଶିଳ୍ପ ଓ ଖଣି ଅଂଚଳ ହୋଇଥିବାରୁ ଏ ଅଂଚଳରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ କମିବା, ଜଳାଶୟଗୁଡ଼ିକ ଶୁଖିଯିବା ମଧ୍ୟ ତାପମାତ୍ରା ବୃଦ୍ଧିର ଆଉ ଏକ କାରଣ।

ଏ ଅଂଚଳରେ ଥିବା ଖଣିଗୁଡ଼ିକ ଖୋଲାମୁହଁ କୋଇଲା ଖଣି ହୋଇଥିବାରୁ ଖଣି ଅଂଚଳରେ କୋଇଲା ପରିବହନ, କୋଇଲା ଖନନ ପାଇଁ ଭାରି ଯାନ ଚଳାଚଳ ସାଂଗକୁ ବଡ଼ ବଡ଼ ମେସିନ ମାନ ଦିନରାତି ଚାଲିଥିବାରୁ ଏବଂ କୋଇଲାରେ ଆକସ୍ମିକ ଭାବେ ନିଅାଁ ଲାଗିବା ଘଟଣା ମଧ୍ୟ ପରିବେଶକୁ ଉତ୍ତପ୍ତ କରି ଦେଉଛି। ଖଣିରେ ନିଅାଁ ଲାଗିବା ଦ୍ୱାରା ଏଥିରୁ ନିର୍ଗତ ଧୂଅାଁ ପରିବେଶ ସନ୍ତୁଳନକୁ ବିଗାଡ଼ିବାରେ ଲାଗିଛି। ଖଣିରେ ଥରେ ନିଅାଁ ଲାଗି ଗଲେ ତାକୁ ଲିଭାଇବା ଏତେ ସହଜ ହୋଇ ନଥିବା ବେଳେ ନିଅାଁଲିଭା ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ। ଏ ଅଂଚଳରେ ଯେପରି ତାପମାତ୍ରା ବଢ଼ିବାରେ ଲାଗିଛି ଏହା ସ୍ଥାନୀୟ ପାଣିପାଗ ସହ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରାକୃତିକ ସମ୍ବଳର ଆବଶ୍ୟକ ବିନିଯୋଗ ତଥା ପୁନରୁଦ୍ଧାର ପ୍ରକି୍ରୟାକୁ ମଧ୍ୟ ବିଶେଷ ଭାବେ ପ୍ରଭାବିତ କରୁଛି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ହିଁ ତାପମାତ୍ରାକୁ ସନ୍ତୁଳିତ କରିବ ବୋଲି ମତ ପ୍ରକାଶ ପାଇଛି।

ଗତ ୨୦୧୭ ଜୁଲାଇ ୨୮ ତାରିଖରେ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ପରିବହନକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ବୈଠକ ହୋଇଥିଲା। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ସେତେବେଳେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ରାଜକୁମାର ଶର୍ମା ସମେତ ବହୁ ଅମଲା ଅଧିକାରୀ ଉପସ୍ଥିତ ଥିଲେ। ପ୍ରଦୂଷଣ ପାଇଁ ଜରିମାନା କରାଯିବାକୁ ମୁଖ୍ୟ ଶାସନ ସଚିବ ସେତେବେଳେ ନିର୍ଦେଶ ଦେବା ସହ ଜିଲ୍ଲା ପ୍ରଶାସନ ଏବଂ ପ୍ରଦୂଷଣ ବୋର୍ଡ ବିଭାଗକୁ ଏହାର ମନିଟରିଂ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବିଶେଷ କରି ଖଣି ଅଂଚଳରେ ଏହା କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ। ଏହା ସ୍ପଷ୍ଟ ଯେ ଉତ୍ତାପ ବୃଦ୍ଧି ହେତୁ ଏ ଅଂଚଳ ସଂପୂର୍ଣ୍ଣ ବିପର୍ଯ୍ୟୟ ଆଡ଼କୁ ଗତି କରୁଥିବା ବେଳେ ପୁନରୁଦ୍ଧାର କରିବା ଦିଗରେ ସରକାର ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରିବା ଜରୁରୀ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର