ଅବୈଧ ସଂପର୍କର କରୁଣ ପରିଣତି:ମା’ କୋଳ ଛାଡ଼ିବ ନବଜାତକ

ଜମନକିରା: କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢାଓ ଯୋଜନା ପ୍ରଣୟନ କରି ବାଳିକାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ, ଅବୈଧ ସଂପର୍କରୁ ଜନ୍ମିତ ନବଜାତକ ଶିଶୁକନ୍ୟା ମାତୃତ୍ୱ ହରାଇ ବସୁଛି ଓ ମା’ କୋଳ, ପଣତକାନିଠାରୁ ଦୂରେଇ ଅପରିଚିତା ହୋଇ ରହୁଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ପଂଚାୟତ ଖରମୁଣ୍ଡା ଗ୍ର୍ରାମରେ ଘଟିଛି। ଯାହା ଶୁଣିଲେ ମାତୃ ହୃଦୟକୁ ନିଶ୍ଚିତ ପ୍ରଭାବିତ କରିବ। ଏହି ଗ୍ରାମର ନିରୀହ ଆଦିବାସୀ ନାବାଳିକା କାମଧନ୍ଦା ଅନେ୍ଵଷଣରେ ସାଙ୍ଗମାନଙ୍କ ସହିତ ଘରୁ ବାହାରି ସମ୍ବଲପୁର ସହର ଅଇଁଠାପାଲିକୁ ଯାଇଥିଲା। ସେଠାରେ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ କୋଠା ମିସ୍ତ୍ରି ଶାରୀରିକ ସଂପର୍କ ରଖିଥିଲା। ନାବାଳିକା କିଛି ମାସ କାମ କରିବା ମଧ୍ୟରେ ଗର୍ଭବତୀ ହୋଇଥିଲା। ସେ ଗର୍ଭବତୀ ଥିବା ପ୍ରକାଶ କରି ବଙ୍ଗୀୟ ମିସ୍ତ୍ରିକୁ ଶୀଘ୍ର ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ, ବଙ୍ଗୀୟ ମିସ୍ତ୍ରି ବିଭିନ୍ନ ଆଳ ଦେଖାଇ ନାବାଳିକାକୁ ଘରକୁ ପଠାଇ ଦେଇ ନିଜେ ଫେରାର୍‌ ମାରିଥିଲା। ନାବାଳିକା ପରିବାର ଲୋକଙ୍କ ଭୟରେ ସମସ୍ତ ଘଟଣା ଲୁଚାଇଥିଲା। ବଙ୍ଗୀୟ ମିସ୍ତ୍ରିକୁ ଖୋଜିବାକୁ ମଝି ମଝିରେ ସମ୍ବଲପୁର ସହରକୁ ଯାଇ ଖୋଜାଖୋଜି କରୁଥିଲା। ତେବେ ସେଥିରେ ମଧ୍ୟ ନିରାଶ ହେବାକୁ ପଡିଥିଲା। ଏହାମଧ୍ୟରେ ପରିବାର ଲୋକ ନାବାଳିକା ଗର୍ଭବତୀ ଥିବା ଜାଣିବାକୁ ପାଇଲେ।

ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା। ମଧ୍ୟ ରାତ୍ରି ୧୨ଟାରେ ନାବାଳିକା ଅବୈଧ ନବଜାତକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା। ବଡ଼ରମା ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ନବଜାତକର ଟୀକାକରଣ ସହ ଜନ୍ମପତ୍ରିକା ପ୍ରସ୍ତୁତ କରିବାକୁ ନିଆଯାଇଥିଲା। ପିତୃ ପରିଚୟ ବିନା ଟୀକାକରଣ ଓ ଜନ୍ମପତ୍ରିକା ପ୍ରସ୍ତୁତ କରାଯିବା ଅସମ୍ଭବ ବୋଲି ସ୍ୱାସ୍ଥ୍ୟ ସେବିକା କହିଲେ। ଅନ୍ୟ ପଟେ ଅବୈଧ ସନ୍ତାନର ଜନନୀ, ଲଜ୍ଜା, ତାତ୍ସ୍ୟଲ୍ୟ, ତାଡ଼ନା ଅସହ୍ୟ ମନେ କରି ନବଜାତକ କନ୍ୟା ରତ୍ନକୁ ସବୁଦିନ ପାଇଁ ମା’ କୋଳରୁ ଦୂରେଇ ଦେବାକୁ ଉଚିତ ମଣିଛନ୍ତି। ତେବେ, ଅନ୍ୟ ହାତରେ ନବଜାତକକୁ ଟେକି ଦେବା ଅନୁଚିତ ହେବ ବୋଲି ସ୍ଥାନୀୟ ସରପଂଚ ଜୟନ୍ତୀ ବାଘ,ଏଏନଏମ ନିରୁପମା ପାଢୀ, ଓ୍ଵାର୍ଡ ସଭ୍ୟା ତନିମା ବାଘ, ଆଶା କର୍ମୀ ପିରୋବତୀ ସିଂ, ଅଙ୍ଗନଓ୍ଵାଡି କର୍ମୀ ଅନୀତା ଟପ୍ପୋ ପ୍ରମୁଖ ବୁଝାଶୁଝା କଲେ। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡିଲା। ଗୁରୁବାର ଜମନକିରା ଡାକ୍ତରଖାନାରେ ନବଜାତକ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ସହ କୁଚିଣ୍ଡା ଚାଇଲ୍ଡ ଲାଇନ ସବ ସେଣ୍ଟରକୁ ଖବର ଦିଆଯାଇଥିଲା। ଏହାର ନିର୍ଦ୍ଦେଶକ ପ୍ରଦୀପ ମହାକୁଳଙ୍କ ନିର୍ଦ୍ଦେଶରେ ଚାଇଲ୍ଡ ଲାଇନର ଟିମ ମେମ୍ବର ନମାମୀ ହେମ୍ବ୍ରମ ଡାକ୍ତରଖାନାକୁ ପହଂଚି ନବଜାତକର ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରିଥିଲେ। ନବଜାତକ ଶିଶୁକୁ ସମ୍ବଲପୁର ସିଡବ୍ଲୁସି କମିଟିରେ ଉପସ୍ଥାପନ ପରେ ସଦର ଡାକ୍ତରଖାନା ବର୍ଣ୍ଣ କେୟାର ୟୁନିଟକୁ ଆବଶ୍ୟକ ସେବା ଯତ୍ନ ଓ ଚିକିତ୍ସା ପାଇଁ ପଠାଯିବ।

ସମ୍ବନ୍ଧିତ ଖବର