ଜଳୁଛି ଝାରସୁଗୁଡ଼ା:୪୧ ଡିଗ୍ରି ଛୁଇଁଲା

ଝାରସୁଗୁଡ଼ା: ଗତ ଏକ ସପ୍ତାହ ଧରି ଲାଗି ରହିଛି ଗ୍ରୀଷ୍ମପ୍ରବାହ। ସହରଠାରୁ ଗ୍ରାମାଞ୍ଚଳ ପଯ୍ୟର୍ନ୍ତ ଖାଲି ତାତି। ଯେପରି ଶୂନ୍ୟରୁ ବର୍ଷୁଛି ନିଆଁ। ସକାଳ ପାଇଲା କ୍ଷଣି ଉତ୍ତାପରେ ସହର ତାତି ଉଠୁଛି। ସହର ଓ ଆଖପାଖରେ ଥିବା କଳକାରଖାନାର ଚିମିନିରୁ ଗରମ ପବନ ବୋହି ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି। ମଂଗଳବାର ସନ୍ଧ୍ୟାରେ ଝାରସୁଗୁଡ଼ା ସହର ସମେତ ଆଖାପାଖ ବିଭିନ୍ନ ଗ୍ରାମ ଓ ଲଖନପୁର, ବ୍ରଜରାଜନଗର, ବେଲପାହାଡ଼, କୋଲାବିରା, ଲଇକେରା, ରେଙ୍ଗାଲି ଅଞ୍ଚଳରେ ସାମନ୍ୟ ବର୍ଷା ପରେ ଲୋକେ ଟିକିଏ ଆସ୍ୱସ୍ଥ ହୋଇଥିଲେ। ମାତ୍ର ଆଜି ପୁଣି ଗରମ ବଢ଼ିବା ସାଙ୍ଗକୁ ଅପରାହ୍ନରୁ ଗୁଳୁଗୁଳି ହେବା ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ଦ୍ୱାରା ଜାରି ତାପମାତ୍ରା ୪୦.୭ ଥିବା ବେଳେ ପିଚୁ ଓ କଂକ୍ରିଟ ରାସ୍ତା ଯୋଗୁଁ ତାପମାତ୍ରା ଦ୍ୱିଗୁଣିତ ହେଉଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ ବିଭ୍ରାଟ ପରିସ୍ଥିତିକୁ ଅଣାୟତ୍ତ କରି ପକାଇଛି।

ବିଭିନ୍ନ ସ୍ଥାନରେ ଦୈନିକ ୨/୩ ଘଣ୍ଟା ବିଦ୍ୟୁତ ବିଭା୍ରଟ ହେଉଥିବା ବେଳେ ସାମନ୍ୟ ପବନ ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଉଛି। ଏହି ସମୟରେ ବିଶେଷ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି। ଅସମ୍ଭାଳ ତାତି ବେଳେ ପାନୀୟ ଜଳକଷ୍ଟ ଉଗ୍ରରୂପ ଧାରଣ କରିଛି। ବିଭିନ୍ନ ସରକାରୀ ବିଭାଗ, ପଞ୍ଚାୟତ ଓ କାରଖାନା କର୍ତ୍ତୃପକ୍ଷ ପାଣିଛତ୍ର ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାଯ୍ୟର୍କାରୀ କରି ନାହାନ୍ତି। ପ୍ରଚଣ୍ଡ ତାପ ମାତ୍ରାରେ ନଇଁନାଳରେ ଥିବା ଅଳ୍ପ ପାଣି ମଧ୍ୟ ଶୁଖି ଗଲାଣି। ଭୂତଳ ଜଳ ଖସି ଯିବାରୁ ନଳକୂଅ ଓ କୂଅଁରୁ ଯେଉଁମାନେ ପମ୍ପ ସାହାଯ୍ୟରେ ପାଣି ଉଠାଇ ଓଭରହେଡ୍‌ ଟାଙ୍କିରେ ରଖି ବ୍ୟବହାର କରନ୍ତି ସେମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରଚଣ୍ଡ ତାତିରେ ଓଭର୍‌ହେଡ଼୍‌ ଟାଙ୍କି ପାଣି ଫୁଟି ଯାଉଛି।

କଂକ୍ରିଟ ଘରୁ ବାହାରୁ ଥିବା ଉତ୍ତପ୍ତ ଧାସରେ ଲୋକେ ରାତିରେ ଶୋଇ ପାରୁନାହାନ୍ତିଁ। ବିଭିନ୍ନ ପଞ୍ଚାୟତରେ ମଧ୍ୟ ଜଳକଷ୍ଟ ଅନୁଭୂତ ହୋଇଛି। ବିଶେଷକରି ଏବେ ଜଙ୍ଗଲ ଅଞ୍ଚଳରେ ପାଣିର ଘୋର ଅଭାବ ଯୋଗୁଁ ବନ୍ୟଜନ୍ତୁ ଡ଼ହଳବିକଳ ହେଉଛନ୍ତି। ପଞ୍ଚାୟତ ସ୍ତରରେ ଜଳଛତ୍ର ବ୍ୟବସ୍ଥା କରାଯାଇନାହିଁ। ସେହିପରି ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପ କେହି ପାଳନ କରୁନଥିବା ଦେଖାଯାଇଛି। ବିଭିନ୍ନ ବେସରକାରୀ ନିର୍ମାଣ ସ୍ଥାନରେ ଶ୍ରମିକ ମାନେ ପ୍ରଚଣ୍ଡ ଖରାରେ ଦିନ ତମାମ କାମ କରୁଥିବା ଦେଖାଯାଉଛି। କୌଣସି ବସ୍‌ରେ ପିଇବା ପାଇଁ ପାଣିର ବ୍ୟବସ୍ଥା ମଧ୍ୟ କରାଯାଇ ନଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ସାଧାରଣ ଜୀବନଯାତ୍ରା ଦୁର୍ବିସହ ହୋଇ ପଡ଼ିଛି। ସକାଳ ୧୦ଟାରୁ ଆଉ ଘରୁ ପଦାକୁ ବାହାରି ହେଉନାହିଁ। ଗରମରୁ ରକ୍ଷା ପାଇବା ପାଇଁ କୁଲର,ଏ.ସିର ଦର ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ଦୋକାନ ଓ ଫୁଟ୍‌ପାଥ୍‌ରେ ଏବେ କୁଲର ବିକ୍ରି ଚାଲିଛି। ଥଣ୍ଡା ସରବତ, ଲସି, ଆଇସକ୍ରିମ୍‌, ଆଖୁପଣା, ତରଭୁଜ୍‌ ଭଳି ଜିନିଷର ଚାହିଦା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତି ଆଗକୁ ଜାରି ରହିବା ସମ୍ଭାବନା ଥିବା ବେଳେ ସରକାର ସ୍କୁଲ କଲେଜ ଗୁଡ଼ିକ ଛୁଟି ଘୋଷଣା କରି ନଥିବାରୁ ଅଭିଭାବକ ଉଦ୍‌ବେଗ ପ୍ରକାଶ କଲେଣି।

ସମ୍ବନ୍ଧିତ ଖବର