ଆଷାଢ଼ରେ ମାଟି ଫାଟି ଆଁ

ଲଇକେରା: ଆଷାଢ଼ ସରିବାକୁ ବସିଲାଣି। ଶ୍ରାବଣ ମାସକୁ ଦିନ କେଇଟା ବାକି। ଏପରି ସମୟରେ ବିଲରେ ରୁଆ ବେଉଷଣ କାମ ଚାଲିବା କଥା। ବିଲ ବର୍ଷା ପାଣିରେ ଉବୁଟୁବୁ ହେବା କଥା। ମାତ୍ର ବିଲରେ ଧୂଳି ଉଡ଼ୁଛି। ମାଟି ଫାଟି ଆଁ କରିଛି। ଚା‌ଷ କାମକୁ ନେଇ ଚିନ୍ତାରେ ଚାଷୀ। ପ୍ରାୟତଃ ବାହୁଡ଼ା ଯାତ୍ରା ବେଳକୁ ଚାଷୀମାନେ ଚାଷ କାମ ଆରମ୍ଭ କରିଦେଇଥାଆନ୍ତି। ଏଥର ବି ଆଷାଢ଼ ମାସରେ ଭଲ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। କିନ୍ତୁ ମଝିରେ ବର୍ଷା ଉଭାନ ହୋଇଗଲା। ପ୍ରଥମ ବର୍ଷାରେ ଯେଉଁ ଚାଷୀ ଧାନ ବୁଣିଥିଲେ କିମ୍ବା ଧାନ ରୋଇଥିଲେ ସେସବୁ ଜମି ଏବେ ଫାଟି ଆଁ କଲାଣି।
କୃଷି ବିଭାଗର ସୂଚନା ଅନୁଯାୟୀ ବ୍ଲକ୍‌ର ମୋଟ ୧୪ ହଜାର ୪ ଶହ ୯୯ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେଉଛି। ସେଥିମଧ୍ୟରୁ ୩ ହଜାର ୬ ଶହ ୫୩ ହେକ୍ଟର ଆଟ(ଗୁଡା) ଜମି, ୬ ହଜାର ୨ ଶହ ୧୮  ହେକ୍ଟର ମାଲ ଜମି, ୩ ହଜାର ୩ ହେକ୍ଟର ଜମି ବେରନା, ୧୬ ଶହ ୨୫ ହେକ୍ଟର ଜମି ବାହାଲ କିସମର ଅଟେ। ଏଥି ମଧ୍ୟରୁ ଚଳିତ ବର୍ଷ ପ୍ରାୟ ଜମିରେ ବିହନ ବୁଣା ହୋଇଥିବା ବେଳେ ଅଳ୍ପ କିଛି ଜମିରେ ରୁଆ କାର୍ଯ୍ୟ ଚାଲୁଛି। ପ୍ରଥମ ବର୍ଷାରେ ଯେଉଁ ଚାଷୀ ଧନ ବୁଣିଦେଇ ଥିଲେ କିମ୍ବା ରୋଇଥିଲେ ସେ ଜମି ଗୁଡ଼ିକ ପାଣି ଅଭାବରୁ ଫାଟି ଆଁ କଲାଣି। ଗତ ବର୍ଷ ବ୍ଲକର ମେ, ଜୁନ୍‌, ଜୁଲାଇ ୧୭ ତାରିଖ ସୁଦ୍ଧା ଯଥା କ୍ରମେ ୧୩୨ ମିଲି ମିଟର, ୧୬୯.୩ ମିଲି ମି. , ୨୪୫.୭ ମିଲି ମି.  ବର୍ଷା ହୋଇଥିବା ବେଳେ  ଚଳିତ ବର୍ଷ ମେ, ଜୁନ୍‌, ଜୁଲାଇ ୧୭ ତାରିଖ ସୁଦ୍ଧା ୨୯.୬ ମିଲି ମି., ୨୩୪.୩ ମିଲି ମି., ୧୩୭ .୫ ମିଲି ମି. ବର୍ଷା ରେକର୍ଡ କରାଯାଇଛି। ଗତ ବର୍ଷ ମେ, ଜୁନ, ଜୁଲାଇ ୧୭ ତାରିଖ ସୁଦ୍ଧା ୫୪୭ ମିଲି ମି. ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୧୭ ତାରିଖ ସୁଦ୍ଧା ୪୦୧.୪ ମିଲି ମି. ବର୍ଷା ରେକର୍ଡ କରାଯାଇଛି। ଗତ ବର୍ଷ ତୁଳନାରେ ୧୪୫.୬ ମିଲି ମି. କମ୍‌ ବର୍ଷା ହୋଇଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ବଡ଼ ବର୍ଷା ନ ହେଲେ ବହୁ କ୍ଷତି ହେବାର ଆଶଙ୍କା ଅଛି ବୋଲି କୃଷି ବିଭାଗ ଅଧିକାରୀ ନୀଳମାଧବ ନାଏକ କହିଛନ୍ତି। ବର୍ଷା ଅଭାବରୁ ବ୍ଲକ୍‌ର ହାତିଆ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବି ଶୁଖିଲା ପଡ଼ିଛି।

ସମ୍ବନ୍ଧିତ ଖବର