ଶ୍ରମିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଇ ଗିରଫ ହେଲେ ମ୍ୟାନେଜର

ଝାରସୁଗୁଡ଼ା: ସୀମା ଟପିଯାଇଛି। ଦରମା ଓ ଅନ୍ୟାନ୍ୟ ସୁବିଧା ଭରପୁର ପାଉଥିଲେ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇ ଅଧିକାରୀମାନେ ଦିନ ମଜୁରିଆଙ୍କୁ ବି ଛାଡୁ ନାହାନ୍ତି। ଏମିତି ଏକ ଘଟଣା ବୁଧବାର ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମହାନଦୀ କୋଲଫିଲଡସ୍‌ ଲିମିଟେଡ(ଏମ୍‌ସିଏଲ୍‌) ଅନ୍ତର୍ଗତ ଓରିଏଣ୍ଟ କୋଲ୍‌ ମାଇନସ୍‌ରେ କାର୍ଯ୍ୟରତ ସିରାଜଉଦ୍ଦିନ ନାମରେ ଜଣେ ଶ୍ରମିକଙ୍କୁ ଅଣ୍ଡରଗ୍ରାଉଣ୍ଡରେ କାମ କରିବାକୁ ଆଦେଶ ମିଳିଥିଲା। ମାତ୍ର ଅଣ୍ଡରଗ୍ରାଉଣ୍ଡରେ କାମ ନଦେଇ ସରଫେସରେ କାମ କରିବାକୁ ସିରାଜଉଦ୍ଦିନ ଏହି ଖଣିର ମ୍ୟାଜେନର ସୁରେନ୍ଦ୍ର କୁମାରଙ୍କୁ ନିବେଦନ କରିଥିଲେ।

ସିରାଜଉଦ୍ଦିନଙ୍କୁ ସରଫେସ ସେକଟରରେ କାମ କରିବା ପାଇଁ ସୁରେନ୍ଦ୍ର କୁମାର ୧୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଦାବି କରାଯାଇଥିବା ଲାଞ୍ଚ ଟଙ୍କାକୁ ସିରାଜଉଦ୍ଦିନ ଦେବେ ବୋଲି କହି ଘଟଣା ଦିନ ଚୁପଚାପ ଚାଲି ଯାଇଥିଲେ। ପରେ ସେ ଏହି ଘଟଣା ସଂପର୍କରେ ସିବିଆଇକୁ ଜଣାଇଥିଲେ। ସିବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା କରାଯିବା ପରେ ବୁଧବାର ସିରାଜଉଦ୍ଧିନ ୧୦୦୦୦ ଟଙ୍କା ସୁରେନ୍ଦ୍ର କୁମାରଙ୍କୁ ଦେଇଥିଲେ। ଘଟଣାର କିଛି ସମୟ ପରେ ସିବିଆଇ ଡିଏସ୍‌ପି ଏନ୍‌ସି ସାହୁ ଓ ଇନସପେକ୍ଟର ପିସି ସାହୁ ଅଚାନକ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଥିବା ବେଳେ ସୁରେନ୍ଦ୍ର କୁମାରଙ୍କୁ ଗିରଫ କରିଛନ୍ତି।

 

ସମ୍ବନ୍ଧିତ ଖବର