ବେଲପାହାଡ଼: ଭାଲୁ ହାବୁଡ଼ରେ ପଡ଼ି ମାଆ ଓ ଝିଅ ଆହତ

ଝାରସୁଗୁଡ଼ା: ସୋମବାର ପାହାନ୍ତାରେ ବେଲପାହାଡ଼ ପୌରାଞ୍ଚଳ ଅନ୍ତର୍ଗତ ଜୁନାଡ଼ିହି କଲେଜପଡ଼ାରେ ଗୋଟାଏ ବଣୁଆ ଭାଲୁ ହାବୁଡ଼ରେ ପଡ଼ି ଜଣେ ମହିଳା ଓ ତାଙ୍କ ଝିଅ ଖଣ୍ଡିଆଖାବରା ହୋଇଛନ୍ତି।

ଆହତ ଦ୍ୱୟ ହେଲେ ଜୁନାଡ଼ିହି ନିବାସୀ କାହ୍ନ ମେହେରଙ୍କ ୩୭ ବର୍ଷୀୟ ପତ୍ନୀ ଅନୀତା ଏବଂ ତାଙ୍କ ୧୬ ବର୍ଷୀୟ ଝିଅ ରଶ୍ମି।

ଫୁଲ ତୋଳିବାକୁ ଭୋର୍‌ ପ୍ରାୟ ୪: ୩୦ ସମୟରେ ସେମାନେ ପାଖରେ ଥିବା ଗୋଟାଏ ପାଣି ଟଙ୍କି ନିକଟକୁ ଯାଇଥିଲେ। ହଠାତ୍‌ କୁଆଡୁ ଗୋଟାଏ ଭାଲୁ ଆସି ମାଆ ଓ ଝିଅଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଲା। ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସି ଭାଲୁକୁ ଘଉଡ଼ାଇ ଦେଇଥିଲେ।

ଚିକିତ୍ସା ନିମନ୍ତେ ତୁରନ୍ତ ଦୁହିଁଙ୍କୁ ଟିଆର୍‌ଏଲ୍‌ ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ଜଙ୍ଘରେ ଗଭୀର କ୍ଷତ ହୋଇଛି। ଏବେ ମାଆ ଓ ଝିଅ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧିତ ଖବର