ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଗ୍ରୀଷ୍ମ ଋତୁରେ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏଠିକାର ଗ୍ରାମାଞ୍ଚଳ ବାସୀ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ଏହି ବନ ଜାତ ଦ୍ରବ୍ୟ ବିକ୍ରି କରିବାକୁ ସରକାରଙ୍କ ପକ୍ଷରୁ ବଜାର ସୁବିଧା ନ ଥିବାରୁ ସାପ୍ତାହିକ ବଜାରଗୁଡ଼ିକରେ ଏହି ଲୋକେ ନିଜ କଷ୍ଟୋପାର୍ଜିତ ସାମଗ୍ରୀ ସବୁ ଅତି କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଦେଖିବାଜୁ ମିଳୁଛି। ବର୍ତମାନ ସମୟରେ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ ଖଟା ସାପ୍ତାହିକ ବଜାରଗୁଡ଼ିକରୁ ବେପାରୀମାନେ ବିପୁଳ ମାତ୍ରାରେ କିଣି ଟ୍ରକ୍ ଦ୍ବାରା ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାରଖଣ୍ଡ ଆଦି ରାଜ୍ୟକୁ ପ୍ରତିଦିନ ପଠାଉଥିବା ଦେଖିବାକୁ ମିଳୁଛି। ଆମ୍ବ ସଂଗ୍ରହ ଠାରୁ ଆରମ୍ଭ କରି କାଟି ଶୁଖାଇ ଆମ୍ବୁଲ ପ୍ରସ୍ତୁତ କରିବାରେ ଏଠାକାର ଅଧିବାସୀମାନଙ୍କୁ ଯେତିକି କଷ୍ଟ କରିବାକୁ ପଡୁଛି ତା’ ତୁଳନାରେ ପାଉଥିବା ଟଙ୍କା ଅତି ନ୍ୟୁନ ବୋଲି ଅଭିଯୋଗ ହୋଇଛି। ଯେହେତୁ ଆମ ଅଞ୍ଚଳର ଏହାକୁ ବିକ୍ରି କରିବା ପାଇଁ ସରକାର କୌଣସି ବଜାର ସୁବିଧା କରିନାହାନ୍ତି କି ଆମ୍ବ ଚାଷୀଙ୍କୁ କିଛି ପ୍ରୋତ୍ସାହନ ଦେଉ ନାହାନ୍ତି, ଫଳରେ ବାହାର ବେପାରୀଙ୍କୁ ଅତି କମ୍ ଦରରେ ସାମଗ୍ରୀ ବିକି ସେମାନେ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଠାକାର ଆମ୍ବୁଲ ବାହାର ରାଜ୍ୟକୁ ଯାଇ ସେଠାରେ ପ୍ରସ୍ତୁତ ଆମଚୁର ପାଉଡର, ଜଲ୍ଜିରା ଆଦି ପୁନର୍ବାର ଆମ ରାଜ୍ୟକୁ ବିଭିନ୍ନ ଆକର୍ଷଣୀୟ ପେକିଙ୍ଗ ମାଧ୍ୟମରେରେ ଆସୁଛି। ଯଦି ଆମ ରାଜ୍ୟ ସରକାରଙ୍କ ପକ୍ଷରୁ ଅଞ୍ଚଳର ଆମ୍ବୁଲ ପ୍ରୋସେସିଂ ପ୍ଲାଣ୍ଟ ବସାଯାଇ ପାରନ୍ତା ତା’ହାଲେ ଅଞ୍ଚଳର ଚାଷୀ ଓ ଆଦିବାସୀମାନେ ଉଚ୍ଚା ଦରରେ ଆମ୍ବୁଲ ବିକି ଲାଭବାନ ହୋଇପାରନ୍ତେ। ଏହି ଅଞ୍ଚଳର ଜଳବାୟୁ ଆମ୍ବ ଚାଷ ପାଇଁ ଉତ୍କୃଷ୍ଟ। ତେବେ ଉଦ୍ୟାନ ବିଭାଗ ପକ୍ଷରୁ ଅଂଚଳର ଚାଷୀଙ୍କୁ କିଛି ପରିମାଣରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିଲେ ହେଁ ପ୍ରଚାର ପ୍ରସାର ଅଭାବରୁ ଅଧିକାଂଶ ଚାଷୀ ଏ ସଂପର୍କରେ କିଛି ଜାଣି ନଥିବା ଜଣାପଡ଼ିଛି। ସଠିକ୍ ପ୍ରୋତ୍ସାହନ ଓ ବଜାର ସୁବିଧା ମିଳି ପାରିଲେ ଚାଷୀ ଓ ବିଶେଷ କରି ଆଦିବାସୀମାନେ ଲାଭବାନ ହୁଅନ୍ତେ ବୋଲି ମତ ପ୍ରକାଶ ପାଇଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp