ରାଜନୀତି ଥିଲାବାଲାଙ୍କ ଖେଳ

ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀଙ୍କ ସମ୍ପତ୍ତିର ମୂଲ୍ୟ ସାଢ଼େ ୪ କୋଟି

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୪ କୋଟି ୭୨ ଲକ୍ଷ ୧୩ ହଜାର ୩୯୦ ଟଙ୍କା ହୋଇଥିବା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ୩ କୋଟି ୩ ଲକ୍ଷ ୧୩ ହଜାର ୩୯୦ ଟଙ୍କା ଅସ୍ଥାବର ଓ ୧ କୋଟି ୬୯ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ଉଲ୍ଲେଖ ଅଛି। ଶ୍ରୀ ତ୍ରିପାଠୀ ଓ ତାଙ୍କ ପତ୍ନୀ ସୁନିତା ପଣ୍ଡାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ବେଳେ ଉଭୟଙ୍କ ପାଖରେ ୮ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ଏକାଧିକ ବିଭିନ୍ନ ପ୍ରକାର କାର ଓ ଭାରୀ ଯାନ ଥିବା ଜଣାଯାଇଛି। ଶ୍ରୀ ତ୍ରିପାଠୀଙ୍କ ନାମରେ କୌଣସି କୋଠା ନଥିବା ବେଳେ ପତ୍ନୀଙ୍କ ନାମରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଠାରେ ଏକ ଫ୍ଲାଟ ଥିବା ଜଣାଯାଇଛି।

ମହେନ୍ଦ୍ରଙ୍କ ସମ୍ପତ୍ତି ୩ କୋଟି

ଝାରସୁଗୁଡ଼ା,: ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାଏକ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ। ତାଙ୍କ ପାଖରେ ଥିବା ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୧୩ ଲକ୍ଷ ୬୫ ହଜାର ୯୨୯ ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏଥିରେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୨ ଲକ୍ଷ ୨୦ ହଜାର ‌ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୧ ଲକ୍ଷ ୪୫ ହଜାର ୯୨୯ ବୋଲି ଉଲ୍ଲେଖ ଅଛି। ତାଙ୍କ ପାଖରେ ଗୋଟିଏ ବାଇକ ରହିଛି। ଯାହାର ମୂଲ୍ୟ ୪୬ ହଜାର ଟଙ୍କା। ସେ ଓ ତାଙ୍କ ପତ୍ନୀଙ୍କ ପାଖରେ ମୋଟ ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିବା ବେଳେ ସେ ଓ ତାଙ୍କ ପତ୍ନୀଙ୍କ ପାଖରେ ୪ ଲକ୍ଷ ୭୦ ହଜାର ନଗଦ ଟଙ୍କା ଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର