ଝାରସୁଗୁଡ଼ାରେ ଚୋର ସକ୍ରିୟ, ପୁଲିସ୍‌ ନିଷ୍କ୍ରିୟ:ଆଖି ପିଛୁଳାକେ ଲୁଟ୍‌, ଜିଲ୍ଲାପାଳ ମଧ୍ୟ ବାଦ୍‌ ପଡ଼ୁନାହାନ୍ତି

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ସ୍ଥାନୀୟ ଜନସାଧାରଣଙ୍କ ଅପେକ୍ଷା ବାହାର ରାଜ୍ୟର ଲୋକସଂଖ୍ୟା ବେଶି ଥିବା ଜଣାଯାଇଛି। ଏମାନଙ୍କ ସଂପର୍କରେ ପୁଲିସ ପାଖରେ କୌଣସି ତଥ୍ୟ ରହୁନାହିଁ। ଏହାର ସୁଯୋଗେ ନେଇ ସହରରେ ଏବେ ଚୋରଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ଜିଲ୍ଲାପାଳଙ୍କ ଆବାସିକ କାଯ୍ୟାର୍ଳୟରୁ ଇନ୍‌ଭର୍ଟରରେ ଲାଗିଥିବା ଏକ ବ୍ୟାଟେରି ସହିତ ଏ.ସିରେ ଲାଗିଥିବା ପାଇପ କାଟି ନେବା ଘଟଣା ପୁଲିସର ମୁଣ୍ଡବ୍ୟଥା ପାଲଟିଛି। ଚୋର ମାନେ ଏତେ ସକ୍ରିୟ ହେଲେଣି ଯେ ଖୋଦ୍‌ ଏସ୍‌ପିଙ୍କ ବାସଭବନ ଲାଗିଥିବା ଜିଲ୍ଲାପାଳଙ୍କ ଘର ଅଫିସରୁ ଚୋରି କରିବାକୁ ଭୟ କରୁ ନାହାନ୍ତି। ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ଯାତ୍ରୀ ପ୍ରମାଦ ଗଣିଲେଣି।

ଆଖି ପିଛୁଳାରେ ଯାତ୍ରୀଙ୍କ ବ୍ୟାଗ୍‌, ଏଟାଚି ଠାରୁ ଆରମ୍ଭ କରି ଲାପଟପ୍‌, ମୋବାଇଲ ଲୁଟ୍‌ ହୋଇ ଯାଉଛି। ଝାରସୁଗୁଡ଼ା ସହରର ବିଭିନ୍ନ ଗଳି ଓ ପଡ଼ାରେ ରାତ୍ର ପାଟ୍ରୋଲିଂ ହେଉନଥିବା ସୁଯୋଗ ନେଇ ଚୋରମାନେ ଏବେ ଘରେ ପଶି ଚୋରି କରିବା ଆରମ୍ଭ କଲେଣି। ଏପରିକି ଘରେ ପାଶି ଶୋଇଥିବା ଲୋକଙ୍କୁ ବାଡ଼େଇ ଟଙ୍କା, ସୁନା ଓ ଆସବାବପତ୍ର ଲୁଟି ନେଉଥିଲେ ମଧ୍ୟ ପୁଲିସ ପଞ୍ଝାରେ ପଡ଼ୁ ନଥିବା ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଛି। ପୁଲିସ ରାତ୍ର ପାଟ୍ରୋଲିଂ କେବଳ ସହର ମଧ୍ୟରେ ହେଉଥିବା ବେଳେ ଗଳି କନ୍ଦି ଆଡ଼େ ହେଉନଥିବାରୁ ଚୋର ମାନେ ଏହାର ସୁଯୋଗ ନେଉଛନ୍ତି। ପୁଲିସ ପକ୍ଷରୁ ଫୁଟ୍‌ ପାଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ଅସାମାଜିକଙ୍କ ଦୌରାତ୍ମ୍ୟ ବହୁ ଗୁଣରେ ବୃଦ୍ଧି ପାଇଛି। ପୁଲିସ ଦୃଢ଼ ପଦକ୍ଷେପ ନେଲେ ଜନସାଧାରଣ ଶାନ୍ତିରେ ରହି ପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର