‘କରୋନା ଭାଇରସ’ ମୁକାବିଲା ପାଇଁ ଝାରସୁୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ପ୍ରକୋଷ୍ଠ

ଝାରସୁଗୁଡ଼ା: ଚୀନରୁ ବ୍ୟାପିଥିବା ‘କରୋନାଭାଇରସ’ ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ନିର୍ଦ୍ଦେଶନାମା ଜାରି ହେବା ପରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କାରଯାଇଛି। ଜିଲ୍ଲା ଡାକ୍ତରଖାନା କର୍ତ୍ତୃପକ୍ଷ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ‘ସ୍କ୍ରିନିଂ ସେଣ୍ଟର’ରେ ଝାରସୁଗୁଡ଼ା ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ।

ତେବେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ଝାରସୁଗୁଡ଼ାଠାରୁ ପରିଚାଳିତ ହେଉଥିବା ବିମାନ ‘ସ୍ପାଇସ୍‌ଜେଟ’ ଓ ‘ଆଲିଆନ୍‌ସ ଏୟାର’କୁ ସୂଚନା ଦିଆଯାଇଛି ବୋଲି ନିର୍ଦ୍ଦେଶକ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଜେ.ସି ବାରିକ ଆସନ୍ତାକାଲି (ସୋମବାର) ସ୍କ୍ରିନିଂ ସୁବିଧା ପରିଦର୍ଶନ କରିବେ।

ସୂଚନାଯୋଗ୍ୟ, କରୋନାଭାଇରସ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। କରୋନାଭାଇରସ ଚିହ୍ନଟ, ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।

ସେହିଭଳି ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। କଟକର ଏସ୍‌ସିବି, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଓ୍ଵାର୍ଡ, ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟି ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

କରୋନାଭାଇରସ ନେଇ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ଦେଶର ବିଭିନ୍ନ ବିମାନବନ୍ଦରରେ ପ୍ରାୟ ୪୦୮୨ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୯୬ଟି ବିମାନରେ ଆସିଥିବା ପ୍ରାୟ ୨୦,୮୪୪ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କରୋନାଭାଇରସ୍‌ରେ ଚୀନରେ ଏପର୍ଯ୍ୟନ୍ତ ୫୬ ଜଣ ଲୋକଙ୍କ ଜୀବନ ଯାଇଛି।

ସମ୍ବନ୍ଧିତ ଖବର