ତାତି ଆରମ୍ଭ, ବଢ଼ୁଛି ମ‌ାଠିଆ, ସୁରେଇ ଚାହିଦା

0

ଝାରସୁଗୁଡ଼ା: ଧୀରେ ଧୀରେ ମାଡ଼ି ଆସୁଛି ଗ୍ରୀଷ୍ମର ପ୍ରକୋପ। ପ୍ରଚଣ୍ତ ତାତି ଯୋଗୁଁ ତଣ୍ଟି ଶୁଖି ଯାଉଥିବା ବେଳେ ମାଠିଆର ଗୋଟିଏ ଗ୍ଲାସ ପାଣି ଯେମିତି ଜୀବନ ଫେରେଇ ଦେଉଛି। ଝାରସୁଗୁଡ଼ାରେ ଶିଳ୍ପ ପ୍ରତିଷ୍ଠା ପରେ ପରେ ଲୋକଙ୍କ କିଛି ଆର୍ଥିକ ଅଭିବୃଦ୍ଧି ଘଟିଥିଲା। ସହରୀ ସଭ୍ୟତା ଭିତରେ ଅଧୁନିକ ଜୀବନଶୈଳୀ ଲୋକଙ୍କ ଚଳଣୀରେ ଅନେକ ପରିବର୍ତ୍ତନ ଆଣି ଦେଇଥିଲା। ଏହା ଭିତରେ କିଛି ପୁରାତନ ଶୈଳୀକୁ କିଛି ଲୋକ ଆଜି ବି ବଞ୍ଚାଇ ରଖିଛନ୍ତି। ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ତୃଷାର୍ତ୍ତ ମଣିଷ ଯେଉଁ ମୁନ୍ଦାଏ ଥଣ୍ତା ପାଣି ପିଇବା ପାଇଁ ଚାହେଁ ତାହା ଆଧୁନିକ ସଭ୍ୟତାରେ ଫ୍ରିଜ୍‌ ପୂରଣ କରିଦେଉଛି। ମାତ୍ର ମାଟି ନିର୍ମିତ ‘ମାଠିଆ’ ପାଣିର ସ୍ବାଦ ନିଆରା। ତେଣୁ ଆଜି ବି ଲୋକଙ୍କ ପାଖରେ ମାଠିଆର ଚାହିଦା ରହିଛି। ତେବେ ମାଟିରେ ନିର୍ମିତ ଜିନିଷର ଉପଯୁକ୍ତ ବଜାର ବ୍ୟବସ୍ଥା ନହେବା ଏବ˚ ଏହା ନିର୍ମାଣ କରୁଥିବା କୁମ୍ଭାର ମାନଙ୍କୁ ପ୍ରୋତ୍ସାହନର ଅଭାବ ଯୋଗୁଁ ମାଟିପାତ୍ର ନିର୍ମାଣ ଧୀରେ ଧୀରେ କମୁଛି। ମାଟିରେ ବିଭିନ୍ନ ବାସନ ନିର୍ମାଣ ରୁଥିବା କୁମ୍ଭାରମାନେ ବ˚ଶାନୁକ୍ରମେ ଏହି କଳାକୁ ବଞ୍ଚାଇ ଆସୁଛନ୍ତି। ତେବେ ଦ୍ରୁତ ଶିଳ୍ପାୟନ ସାଙ୍ଗକୁ କୁମ୍ଭାର ମାନଙ୍କ ଜୀବନଶୈଳୀରେ ଉନ୍ନତି ନହେବାରୁ ଏହି କଳାକୁ ଏବେ କୁମ୍ଭାରମାନେ ଛାଡ଼ି ଦେଇ ଅନ୍ୟ ଧନ୍ଦା କରିବାକୁ ବାଧୢ ହେଲେଣି। ଝାରସୁଗୁଡ଼ା ସହର ସରବାହାଲ କୁମ୍ଭାରପଡ଼ାରେ ପୂର୍ବରୁ ଅନେକ କୁମ୍ଭାର ପରିବାର ହାଣ୍ତି, ମାଠିଆ, ସୁରେଇ ନିର୍ମାଣ କରି ଜୀବିକା ନିର୍ବାହ କରୁଥିଲେ। ମାତ୍ର ଏବେ କାଁଭାଁ କୁମ୍ଭାର ପରିବାର ଏହି ପାରମ୍ପରିକ କାର୍ଯ୍ୟ କରୁଛନ୍ତି। ମାଟିରେ ନିର୍ମିତ ହାଣ୍ଡିରେ ପୂର୍ବରୁ ଘରଗୁଡ଼ିକୁ ରୋଷେଇ ହେଉଥିଲା। ଏବେ ତାହା ଆଉ ନାହିଁ। ଘରଗୁଡ଼ିକରେ ମାଟି ନିର୍ମିତ ଜିନିଷ ଏବେ ଆଉ ବେଶୀ ବ୍ୟବହାର ହେଉନାହିଁ। ଫଳରେ ଏହାର ନିର୍ମାଣ ମଧ୍ୟ କମି ଯାଉଛି। ମାଟିରେ ଅନେକ ଜିନିଷ ନିର୍ମାଣ ହେଉଥିବା ବେଳେ ଏବେ କେବଳ ଦୀପାବଳି ସମୟରେ ମାଟିଦୀପ ଓ ଗ୍ରୀଷ୍ମ ଦିନରେ ମାଠିଆ, ସୁରେଇ ନିର୍ମାଣରେ ସୀମିତ ରହିଛି।
ଅନ୍ୟପକ୍ଷରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ମତ ରହିଛି ଯେ ଏହି କ୍ଷେତ୍ରରେ କାରିଗରଙ୍କୁ ଠିକ ଭାବେ ପ୍ରୋତ୍ସାହନ ମିଳିଲେ ବ୍ୟବସାୟର ଚାହିଦା ବର୍ଷର ସବୁ ସମୟରେ ରହିବ। ଏବେ ବ୍ୟବହାର କରାଯାଉଥିବା ପରିବେଶ ପ୍ରତିକୂଳ ପ୍ଲାଷ୍ଟିକ, ମେଟାଲ ବଦଳରେ ମାଟିର ସର୍ବୋତ୍କୃଷ୍ଟ ଚାହିଦା ରହିଛି। ଆଗାମୀ ଦିନରେ ଏନେଇ କାରିଗରଙ୍କ ସମବାୟ ସମିତି ଗଠନ କରାଯାଇ ବ୍ୟବସାୟକୁ କୁଟିର ଶିଳ୍ପ ଭିତ୍ତିରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ରହିଛି ବୋଲି ସହରର ସଚେତନ ତଥା ବରିଷ୍ଠ ନାଗରିକମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.