ଘରେ ପଶିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାର

କଳାପାଣି,୧: ବରାହଗୋଡା ଟୋଲ୍‌ଗେଟ୍‌ ପାର୍ଶ୍ୱରେ ଥିବା ଏକ ଘର ଭିତରକୁ ଆଜି ଅପରାହ୍ନ ୩ଟାରେ ଏକ ଟ୍ରକ୍‌ (ଜିଜେ-୧୦ ଟିଭି-୫୦୯୯) ପଶିଯିବାରୁ ପରିବାରଲୋକେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବରଗଡ଼ ପଟରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏହି ଟ୍ରକ୍‌ ଟୋଲଗେଟ୍‌କୁ ଲାଗି ରହିଥିବା ମାର୍କଣ୍ଡ ବାଗ (୬୦)ଙ୍କ ଘର ଭିତରକୁ ପଶିଯାଇଥିଲା। ମାର୍କଣ୍ଡଙ୍କ ପତ୍ନୀ ସାବିତ୍ରୀ ବାଗ (୫୫), ବୋହୂ ମଲ୍ଲି ବାଗ, ନାତୁଣୀ ଆରତି ବାଗ, ନାତି ଶଙ୍କର ବାଗ ଘରେ ଥିଲେ। ଖବର ପାଇ ବରଗଡ଼ ପୁଲିସ୍‌ କ୍ରେନ୍‌ ଯୋଗେ ଟ୍ରକ୍‌ଟିକୁ ବାହାର କରି ମାର୍କଣ୍ଡଙ୍କ ପରିବାରବର୍ଗଙ୍କୁ ଉଦ୍ଧାର କରିଥିଲେ।

ଠିକ୍‌ ଏକବର୍ଷ ତଳେ ଏକ ଟ୍ରକ୍‌ ବାଗ ପରିବାରଙ୍କ ପଡୋଶୀ ଘରକୁ ପଶିଯିବାରୁ ରମେଶ ମଟାରୀଙ୍କ ମୃତ୍ୟୁ ଘଟିଥିଲା। ଟୋଲଗେଟ୍‌ ନିକଟ ଥିବାରୁ ବସବାସ କରୁଥିବା ପରିବାରବର୍ଗଙ୍କୁ ଥଇଥାନ ନକଲେ ଏମିତି ଆକସ୍ମିକ ଦୁର୍ଘଟଣାରେ ଅକାଳରେ ଜୀବନହାନି ଘଟିବା ସୁନିଶ୍ଚିତ ହୋଇପଡିଛି। ଏଥିସହ ବର୍ଷା ଦିନରେ ଟୋଲଗେଟ୍‌ର ସମସ୍ତ ବର୍ଷାପାଣି ଘର ଭିତରକୁ ପଶୁଛି। ତେବେ ଟୋଲଗେଟ୍‌ ନିକଟରେ ଥିବା ଘରଗୁଡିକୁ ଥଇଥାନ କରିବା ସହ ଜାତୀୟ ରାଜପଥ କଡ଼ରେ ଡ୍ରେନ୍‌ ଓ ବାଇପାସ୍‌ ରାସ୍ତା ଅତିଶୀଘ୍ର କରାଯାଉ ବୋଲି ନାଗର ଭୋସାଗର, ବିନୋଦ ମହାନନ୍ଦ, ଲକ୍ଷ୍ମୀ କୁଅଁର ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର