ଝାରସୁଗୁଡ଼ା: ଟ୍ରକ୍‌ ଚାପାରେ ଛିଣ୍ଡିଲା ମହିଳାଙ୍କ ୨ ଗୋଡ଼, ସହାୟତା ପାଇଁ ଆକୁଳ ପ୍ରାର୍ଥନା କଲେ ସ୍ୱାମୀ

ଝାରସୁଗୁଡ଼ା: ଦ୍ରୁତ ଗତିରେ ଯାଉଥିବା ଟ୍ରକ ଚଢ଼ି ଯିବାରୁ ଶନିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଦୁଇ ଗୋଡ଼ ଛିଣ୍ଡିଛି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଲଇକେରା ଠାରେ ଫଳ ଦୋକାନ ଦେଇ ପରିବାର ପୋଷଣ କରୁଥିବା ଅଶୋକ ମେହେର(ମୁନୁ) ଆଜି ସନ୍ଧ୍ୟାରେ ନିଜ ସ୍ତ୍ରୀ ଅନୀତା ମେହେର(୨୭) ଓ ଦୁଇ ଛୋଟ ଛୁଆଙ୍କୁ ନେଇ ନିକଟରେ କୁଅଁରମାଲ- ପାକେଲଖୋଲ ଠାରେ ଅନ୍ଧାରୀ ପାହାଡ଼ରେ ଅନୁଷ୍ଠିତ ହେଉଥିବା ବନଦୁର୍ଗାଙ୍କ ଯାତ୍ରା ଦେଖିବାକୁ ଯାଉଥିଲେ।

ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଲଇକେରା ଠାରେ ଏକ ପାଉଁଶ ବୋଝେଇ ଟ୍ରକ (ଟ୍ରକ୍‌ ନମ୍ବର ଓଆର ୧୭ଏଚ ୩୬୧୧) ଶକ୍ତ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରକକୁ ଓଭରଟେକ କରିବା ବେଳେ ଅନୀତା ବାଇକରୁ ଖସି ପଡ଼ିଥିଲେ। ସିଲ୍କ ସାଢ଼ୀ ପିନ୍ଧିଥିବାରୁ ଅନୀତା ଖସିଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମହିଳାଙ୍କ ଦୁଇ ଗୋଡ଼ ଉପରୁ ପାଉଁଶ ବୋଝେଇ ହୋଇଥିବା ୧୦ ଚକିଆ ଗାଡ଼ି ଚଢ଼ି ଯିବାରୁ ଦୁଇ ଜଙ୍ଘ ସଂପୂର୍ଣ୍ଣ ଛିଣ୍ଡି ଯାଇଛି।

ଘଟଣା ପରେ ତାଙ୍କ ସ୍ୱାମୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିବା ବେଳେ ବହୁ ସମୟ ଧରି କେହି ପାଖକୁ ନଆସିବା ଘଟଣା ଉଦବେଗ ସୃଷ୍ଟି କରି କରିଥିଲା। ସେହିପରି ୧୦୮ଆମ୍ବୁଲାନ୍ସ ମଧ୍ୟ ଆସିନଥିଲା। ଫଳରେ ବହୁ ବିଳମ୍ବରେ ଆହତ ମହିଳାଙ୍କୁ ଏକ ମାରୁତି ଭେନ୍‌ରେ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ରାସ୍ତାରେ ପାଉଁଶ ବୋଝେଇ ଟ୍ରକ ଗୁଡ଼ିକ ବେପରୁଆ ଭାବରେ ଯାତାୟତ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଡ୍ରାଇଭର ଫେରାର ଅଛି।

ସମ୍ବନ୍ଧିତ ଖବର