ବଡ଼ଭାଇକୁ ହତ୍ୟା ଅପରାଧରେ ସାନ ଭାଇକୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା : ବଡ଼ଭାଇକୁ ହତ୍ୟା କରିଥିବା ଅପରାଧରେ ସାନଭାଇକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଝାରସୁଗୁଡ଼ା ଜିଲ୍ଲାଜଜ୍‌ ଗୋପାଳ ଚନ୍ଦ୍ର ପଟ୍ଟନାୟକ। ବଡ଼ମାଳ ଥାନା ମୁଡ଼କାଢ଼ୁଡା ଗ୍ରାମରେ ଗତ ୨୫.୧୧.୧୬ ସନ୍ଧ୍ୟା ୫ ଘଣ୍ଟା ସମୟରେ ସେହି ଗ୍ରାମର ମହାଦେବ କିସାନ ଓ ତାଙ୍କ ବଡ଼ଭାଇ ଯୁକ୍ତ କିସାନଙ୍କ ମଧ୍ୟରେ ଇନ୍ଦିରା ଆବାସ ଘରକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନଭାଇ ମହାଦେବ ଏକ ଠେଙ୍ଗାରେ ଯୁକ୍ତଙ୍କ ମୁଣ୍ଡରେ ଆଘାତ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆହତ ଯୁକ୍ତଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।

ଏ ସଂପର୍କରେ ମଝିଆ ଭାଇ ଅଶୋକ କିସାନ ବଡ଼ମାଲ ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ହତ୍ୟା ମାମଲା ଦାୟର କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜିଲ୍ଲା ଜଜ୍‌ ଶ୍ରୀ ପଟ୍ଟନାୟକ ଏହି ମାମଲାର ବିଚାର କରି ୧୫ଟି ଦସ୍ତାବିଜ ଓ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ଅନାଦେୟେ ଆହୁରି ଅଧିକ ୩ ମାସ କରାଦଣ୍ଡାଦେଶ ଦେଇଛନ୍ତି। ଆଇନଜୀବୀ ବେଣୁଲାଲ ପ୍ରଧାନ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର