କର୍ତ୍ତବ୍ୟ ଆଗରେ ଫିକା ପଡ଼ିଛି ବାପାଙ୍କୁ ହରାଇବାର ଦୁଃଖ, ଛୁଟି ନ ନେଇ କାମ କରୁଛନ୍ତି ବିଜୟ

ରାୟଗଡ଼ା: ଛାତିରେ ଛାତିଏ କୋହ। ମନରେ ଅନେକ ଯାତନା। ବାପାଙ୍କୁ ହରାଇବା ଦୁଃଖରେ ପୂରା ପରିବାର ମିୟମ୍ରାଣ। ଏହା ସତ୍ତ୍ବେ ନିଜ କର୍ତ୍ତବ୍ୟରୁ ନ ଓହରି ପୂର୍ବ ଭଳି କାର୍ଯ୍ୟ ଜାରି ରଖିଛନ୍ତି ରାୟଗଡ଼ାର ବନ ବିଭାଗ କର୍ମଚାରୀ ଆର୍. ବିଜୟ କୁମାର। ସକାଳେ ବାପାଙ୍କ କ୍ରିୟାକର୍ମ ସାରି ସଂଧ୍ୟାରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ସହରର ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି।

ଗୁଣପୁର ବନ ବିଭାଗ ଅଧୀନରେ କାର୍ଯ୍ୟରତ ଆର୍. ବିଜୟ କୁମାର। କରୋନା ମୁକାବିଲା ପାଇଁ ଡେପୁଟେସନରେ ଆସି ରାୟଗଡ଼ା ସହରରେ ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଛନ୍ତି। ସହରର ଜିଲ୍ଲା ଶିଳ୍ପ କେନ୍ଦ୍ର ଛକରେ ଡ୍ୟୁଟି ଜାରି ରଖିଛନ୍ତି ବିଜୟ। ଗତ ଏକ ସପ୍ତାହ ହେଲା ବିଜୟ ଡେପୁଟେସନରେ ରାୟଗଡ଼ା ଆସିଥିବା ବେଳେ ଟାଉନ୍ ଥାନା ଅଧୀନରେ ରହି କାମ କରୁଛନ୍ତି।

ମ‌େ’ ୧ ତାରିଖରେ ଡ୍ୟୁଟିରେ ଥିବା ସମୟରେ ବାପା ଆର୍.ସି. ରାଜୁ (୭୩) ଙ୍କ ମୃତ୍ୟୁ ‌ହୋଇଥିଲା। ଦୀର୍ଘ ଦିନ ହେଲା ଶର୍ଯ୍ୟାଶାୟୀ ଥିବା ବାପାଙ୍କ ଅକାଳ ବିୟୋଗ ଖବର ପାଇବା ପରେ  ବିଜୟ ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନଙ୍କୁ ଅବଗତ କରି ଘରକୁ ଯାଇଥିଲେ। ତାଲାବନ୍ଦ ଯୋଗୁ ବିଶାଖାପାଟଣାରେ ରହୁଥିବା ସଂପର୍କୀୟ ପହଞ୍ଚ ପାରିନଥିଲେ ରାୟଗଡ଼ାରେ। ସାହି, ପଡୋଶୀଙ୍କ ସହଯୋଗରେ ସାମାଜିକ ଦୂରତା ରଖି ସଂଧ୍ୟାରେ ଶ୍ମଶାନରେ ବାପାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବିଜୟ ମୁଖାଗ୍ନି ଦେଇଥିଲେ।

ଶେଷକୃତ୍ୟ ପରଦିନ ହିଁ  ବିଜୟ ଅର୍ଥାତ୍ ୨ ତାରିଖରେ ପୂର୍ବବତ୍ କାର୍ଯ୍ୟରେ ଯୋଗ ଦେଇଥିଲେ। କରୋନା ବିପତ୍ତି ସମୟରେ ଲୋକଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ ହୋଇଥିବାରୁ ଛୁଟି ନ ନେଇ କାର୍ଯ୍ୟରେ ଯୋଗ ଦେଇଥିବା ବିଜୟ କହିଛନ୍ତି। ଦଶାହ ଏବଂ ଏକାଦଶାହ କାର୍ଯ୍ୟ ତୁଲାଇବା ପାଇଁ ୨ ଦିନ ଛୁଟି ନେବାକୁ ମନସ୍ଥ କରିଛନ୍ତି ବିଜୟ। କିନ୍ତୁ ଆଜି ପର୍ଯ୍ୟନ୍ତ ଛୁଟି ଆବେଦନ କରିନାହାନ୍ତି। ୨୦୦୦ ମସିହାରେ ବନ ବିଭାଗରେ ଚାକିରୀ ଆରମ୍ଭ କରିଥିଲେ ବିଜୟ। ବାପା ବନ ବିଭାଗ‌ରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବାରୁ ବାପାଙ୍କ ପ୍ରେରଣା ଅନୁଯାୟୀ ବନ ବିଭାଗରେ ଚାକିରୀ କରିବାକୁ ମନସ୍ଥ କରିଥିଲେ ବିଜୟ। ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବରେ ବାପା ଆର୍. ସି. ରାଜୁଙ୍କ ବିଭାଗରେ ଭଲ ନାଁ ଥିବାରୁ ବାପାଙ୍କ ନୀତି, ଆଦର୍ଶକୁ ପାଥେୟ କରି କାର୍ଯ୍ୟ କରି ଚାଲିଛନ୍ତି ବିଜୟ।

ସମ୍ବନ୍ଧିତ ଖବର