କଳାହାଣ୍ଡି ସଚେତନ ନାଗରିକ ମଞ୍ଚର ପଦଯାତ୍ରା:ସ୍ଥାୟୀ ପଟ୍ଟା ଦାବି

ଭବାନୀପାଟଣା: ୧୯୫୨ ମସିହାରୁ ଭବାନୀପାଟଣା ସହରରେ ବନ୍ଦୋବସ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ନଥିବା ବେଳେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଯୋଗୁଁ ବହୁ ସହରବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ସଂପୂର୍ଣ୍ଣ ଭାବରେ ଥଇଥାନ ଓ ସ୍ଥାୟୀପଟ୍ଟା ପ୍ରଦାନ କରାଯାଇ ନାହିଁ। ଭବାନୀପାଟଣା ସହରରେ ଗଡ଼ଜାତ ସମୟରୁ ସରକାରୀ ତଥା ଦେବୋତ୍ତର ଜମିରେ ରହି ଆସୁଥିବା ଲୋକଙ୍କୁ ସ୍ଥାୟୀପଟ୍ଟା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ନିଆନଯାଇ ବାରମ୍ବାର ଘରଭଙ୍ଗା କରାଯାଉଥିବା ନେଇ ଉଦବେଗ ପ୍ରକାଶ ପାଇଛି। ଭବାନୀପାଟଣା ସହରରେ ପ୍ରସ୍ତାବିତ ବାଇପାସରୋଡ ଓ ରିଂରୋଡକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ଓ ରାଜ୍ୟ ସରକାର କ୍ୟାବିନେଟରେ ଏନଏସି ଅଂଚଳରେ ୬ଶହ ବର୍ଗ ଫୁଟ ଓ ପୌରାଞ୍ଚଳରେ ୩୫୦ରୁ ୪୦୦ ବର୍ଗର୍ଫୁଟ ଭୂମିହୀନଙ୍କୁ ଜାଗା ଦେବା ନିଷ୍ପତ୍ତିକୁ କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।
ବର୍ଷବର୍ଷ ଧରି ସହରରେ ରହି ଆସୁଥିବା ଲୋକଙ୍କୁ ୪ଡିସମିଲ ଜାଗା ପ୍ରଦାନ କରି ସ୍ଥାୟୀ ପଟ୍ଟା ଦେବାକୁ ଦାବି କରାଯାଇଛି। କମ ପ୍ରିମିୟମରେ ସ୍ଥାୟୀପଟ୍ଟା ପ୍ରଦାନ, ବାରମ୍ବାର ରାସ୍ତାର ପ୍ରଶସ୍ତୀକରଣ ନାମରେ ଘରଭଙ୍ଗା ଅଭିଯାନକୁ ବନ୍ଦ କରି ବାଇପାସ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବା ଓ ବହୁ ରାଷ୍ଟ୍ରିୟ କମ୍ପାନି ମାନଙ୍କୁ ବିଭିନ୍ନ ପ୍ରକଳ୍ପ ଆଳରେ ଘରଭଙ୍ଗା ହେଉଥିବା ନେଇ ତୁରନ୍ତ ବନ୍ଦ କରାଯିବା ଦାବିରେ ବୁଧବାର ଏକ ପଦଯାତ୍ରା କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ଅବାହକ ସତ୍ୟ ମାହାରଙ୍କ ନେତୃତ୍ୱରେ ଭବାନୀପାଟଣା ସହରର ବାହାଦୁର ବଗିଚାପଡା, ଜୋରପଡା, ରାମସାଗରପଡା, ଶାନ୍ତିନଗର ପଡା, ଶକ୍ତି ନଗରପଡା, ଇରିଗେସନ କଲୋନି, ଉପରଚମାରପଡା, ରାମନଗରପଡା, ନୂଆପଡ଼ା, କନ୍ଧପଡା, ଚୁଡିହାରିପଡା, ମଦନମୋହନପଡା, ଛେଦାପଡା, କରନପିଟା, ହଲିଆପଡା, ଗୋଦାମପଡା ପ୍ରଭୃତି ସ୍ଥାନରେ ପଦଯାତ୍ରା କରି ପଥପ୍ରାନ୍ତ ସଭା କରାଯାଇଥିଲା। ଏହି ସଭାରେ ମୂଲନିବାସୀ ରାଜ୍ୟ ସଂପାଦକ ଅଭିରାମ ମଲ୍ଲିକ, ସତ୍ୟବାଦୀ ନାଏକ, ଉଦିତ ଚଲାନ, ପାର୍ବତୀ ଗହିର, ବିମ୍ବାଧର ବୈଠାରୁ, ସିନ୍ଧୁ ମାଝୀ, ପ୍ରମା ମେହେର, ସୁଲୋଚନା ନାଗ, ସ୍ୱର୍ଣ୍ଣଲତା ରାଉତ, ବନିତା ରାଉତ, ଉପେନ୍ଦ୍ର ବାଗ, ଅର୍ଣ୍ଣ ରାଉତ, ଭୂମିସୁତା ଗଉଡ ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ପଦଯାତ୍ରା ଆସନ୍ତାକାଲି ମଧ୍ୟ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର