କଳାହାଣ୍ଡି: ରାଜ ପରିବାରର ତିନି ସଦସ୍ୟ ହାରିଲେ, ଜିତିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

ଭବାନୀପାଟଣା: ଚଳିତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ରାଜ ପରିବାରର ୩ ଜଣ ସଦସ୍ୟ ମଇଦାନରେ ଥିଲେ। ତିନିଜଣ ଯାକ ତିନି ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ କେହି ବି ନିର୍ବାଚନ ଜିତି ପାରି ନାହାନ୍ତି। କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଜୟପାଟଣା ରାଜ ପରିବାରର ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ପରାଜିତ କରିଛନ୍ତି। ସେହିପରି କଳାହାଣ୍ଡି ମହାରାଜ ଉଦିତ ପ୍ରତାପ ଦେଓଙ୍କ ପୁଅ ଅନନ୍ତ ପ୍ରତାପ ଦେଓ ଚଳିତ ନିର୍ବାଚନରେ ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ବିଜେଡିର ମେଷଧି ବାଗ ପରାଜିତ କରିଛନ୍ତି। ରାଜପୁର କର୍ଲାପାଟ ରାଜ ପରିବାରର ଅନିଲ ସିଂହଦେଓ ଏଥର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ପାର୍ଥୀ ହୋଇଥିଲେ। ସେ ମଧ୍ୟ ପରାଜିତ ହୋଇଛନ୍ତି।

ବାପ- ପୁଅ ପରାଜିତ
ଚଳିତ ନିର୍ବାଚନରେ ଗୋଟିଏ ପରିବାରରୁ ବାପା ଓ ପୁଅ ନିର୍ବାଚନ ମଇଦାନକୁ ଆସି ପରାଜୟ ବରଣ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ଭାବେ ଲିଥିଲେ। ସେହିପରି ତାଙ୍କ ପୁଅ ସାଗର ଚରଣ ଦାସଙ୍କୁ ସେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିକୁ ଆଣି ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଇଥିଲେ। ହେଲେ ଉଭୟେ ନିର୍ବାଚନରେ ପରାଜିତ ହୋଇଛନ୍ତି।

ଦଳ ଡେଇଁଥିବା ଦୁଇ ନେତା ଜିତିଲେ, ଜଣେ ହାରିଲେ
କଂଗ୍ରେସ ଦଳରୁ ଆସି ବିଜେଡିରେ ସାମିଲ ହୋଇ ଟିକଟ ହାତେଇଥିବା ତିନି ନେତାଙ୍କ ମଧ୍ୟରୁ ଦୁଇଜଣ ଚଳିତ ନିର୍ବାଚନରେ ଜିଣିଥିବା ବେଳେ ଜଣେ ନେତା ପରାଜିତ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ବିରୋଧୀ ଦଳ ନେତା ଥିବା ଭୂପିନ୍ଦର ସିଂହ ବିଜେଡିକୁ ଆସି ରାଜ୍ୟସଭା ସଦସ୍ୟ ହୋଇଥିଲେ। ଏଥର ସେ ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ୨୦୧୪ ନିର୍ବାଚନରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ଵନ୍ଦ୍ୱିତା କରି ପ୍ରଦୀପ ଦିଶାରୀ ପରାଜିତ ହୋଇଥିଲେ। ଏଥର ସେ ସେହି ଆସନରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସର ପୂର୍ବ ବିଧାୟକ ଦୁଷ୍ମନ୍ତ ନାଏକ ଏଥର ବିଜେଡିରେ ସାମିଲ ହୋଇ ସଦର ନିର୍ବଚନ ମଣ୍ଡଳୀ ପାଇଁ ଟିକଟ ପାଇଥିଲେ କିନ୍ତୁ, ସେ ନିର୍ବାଚନରେ ପରାଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର