ଜଟିଳ ହେଉଛି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ସମସ୍ୟା

ଜୟପାଟଣା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ବାମ କେନାଲରେ ପ୍ରଥମ ଜଳସେଚନ ଆରମ୍ଭ କରାଯାଇଥିଲା। ବର୍ଷ ବର୍ଷ ଧରି ଇନ୍ଦ୍ରାବତୀକୁ ନେଇ କଳାହାଣ୍ଡିବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଲାଗିଲା। ୨୦୦୧ ମସିହାରେ ଚତୁର୍ଥ ୟୁଟିଟ୍‌ କାର୍ଯ୍ୟକ୍ଷମ ହେବା ପରେ ପରେ ଦକ୍ଷିଣ କେନାଲରେ ମଧ୍ୟ ପାଣି ଛଡ଼ାଗଲା। ଦୁଇଟି କେନାଲ ପରିସରରେ ଆସୁଥିବା ୮୮ ହଜାର ହେକ୍ଟର ଦୁଇ ଫସଲି ଚାଷରେ ଫାଟି ପଡ଼ିଲା ଯେଉଁ କଳାହାଣ୍ଡି ଜିଲ୍ଲାରେ ମରୁଡ଼ି ବୋଝ ହୋଇ ଠିଆ ହେଉଥିଲା ସେହି ଜିଲ୍ଳାରେ ଧାନ ବିକିବା ଏକ ପ୍ରକାର ବୋଝ ପାଲଟି ଗଲା । ଇତି ମଧ୍ୟରେ ପୂର୍ଣ୍ଣାଙ୍ଗ ଜଳସେଚନ ଆରମ୍ଭ ହେବା ପରେ କେନାଲଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଲା।

ଏବେ ଉଭୟ ବାମ ଓ ଦକ୍ଷିଣ କେନାଲ ମରାମତିର ଅପେକ୍ଷାରେ ରହିଥିବା ବେଳେ ସରକାରଙ୍କ ଟାଳଟୁଳ ନୀତି ସ୍ଥିର ଜଳସେଚନ ପାଇଁ ଅନ୍ତରାୟ ସୃଷ୍ଟି କରି ସାରିଲାଣି। ଦକ୍ଷିଣ ମୁଖ୍ୟ କେନାଲର ଅବସ୍ଥା ତୀବ୍ରତର ହୋଇ ଉଠିଥିବା ବେଳେ ବାମ ମୁଖ୍ୟ କେନାଲରେ ମଧ୍ୟ ମରାମତି ନହେଲେ ଆଗାମୀ ଦିନରେ ଜଳସେଚନ ଠପ୍‌ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ କେନାଲର ସଂପ୍ରସାରଣ ଚାଲିଥିବା ବେଳେ ଲୋକେ ଏହାକୁ ସରକାରଙ୍କ ଧୂଅାଁବାଣ ବୋଲି ଆଲୋଚନା କରିବା ସହିତ କେନାଲ ଭିତ୍ତିଭୂମିକୁ ପ୍ରଥମରେ ସୁଦୃଢ଼ କରାଯାଉ ବୋଲି ଦାବି କରିବା ଆରମ୍ଭ କଲେଣି। ଏବେ ଦକ୍ଷିଣ କେନାଲର ଟେଣ୍ଡର ପ୍ରକ୍ରିୟାକୁ ନେଇ ଇନ୍ଦ୍ରାବତୀ ଜଳସେଚନ ପାଇଁ ସରକାର କେତେ ଯତ୍ନବାନ ତାହା ଜଣାପଡ଼ି ସାରିଥିବା ଲୋକେ ଆଲୋଚନା କଲେଣି। କେନାଲ ମରାମତି ଆଳରେ ଦକ୍ଷିଣ ମୁଖ୍ୟ କେନାଲରେ ଜଳସେଚନ ବନ୍ଦ ରଖାଯାଇ ବାମ ମୁଖ୍ୟ କେନାଲରେ ୩୨ ହଜାର ହେକ୍ଟରରେ ପାଣି ଛଡ଼ା ଯାଇଥିବା ବିଭାଗ ସୁତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ବାମ ମୁଖ୍ୟ କେନାଲର ପରିଧି ମଧ୍ୟରେ ଧାନ ଚାଷୀ ପୂରା ଦମ୍‌ରେ ଆରମ୍ଭ ହୋଇ ଯାଇଥିବା ଦକ୍ଷିଣ ମୁଖ୍ୟ କେନାଲର ପରିଧି ପଡ଼ିଆ ପଡ଼ିଛି। ଏହି କେନାଲର ସମ୍ପୂର୍ଣ୍ଣ ମରାମତି ପାଇଁ କେନାଲ ଲାଇନିଂ ଆଣ୍ଡ୍‌ ସିଷ୍ଟମ ରିହାବିଲିଟେସନ୍‌ ଯୋଜନାରେ ଗତ ୪ବର୍ଷ ଧରି ପ୍ରସ୍ତୁତି ଆରମ୍ଭ କରି ଚାଷୀଙ୍କୁ ପ୍ରତିବର୍ଷ ବଳି ପକା ଯାଉଥିଲେ ବି କେନାଲ ପ୍ରକ୍ରିୟା ତଥାବତ ରହି ଯାଇଥିବାରୁ ଚାଷୀଙ୍କ ଦୁର୍ଦଶା ବଢ଼ିବା ସହିତ ସରକାରଙ୍କ ପ୍ରତି ଅନାସ୍ଥା ଭାବ ପ୍ରକଟ ହୋଇ ସାରିଲାଣି। ସଂପୃକ୍ତ ଯୋଜନା ଅନ୍ତର୍ଗତ ୧୯.୫.୨୦୧୪ରେ ପ୍ରଥମ ଟେଣ୍ଡର ଆହ୍ଵାନ କରାଗଲା। ସେତେବେଳେ କୌଣସି ଠିକାଦାର ଟେଣ୍ଡର ପକାଇ ନଥିବାରୁ ତାହା ବାତିଲ ହେଲା। ଦ୍ୱିତୀୟ ଥର ପାଇଁ ୧୮.୩.୨୦୧୫ରେ ପୁଣିଥରେ ଟେଣ୍ଡର ଆହ୍ଵାନ କରି ଅର୍ଥନୈତିକ ବିଡ଼୍‌ ପର୍ଯ୍ୟନ୍ତ ଯାଇ ପହଞ୍ଚି ସାରିଥିଲା। ପରେ ତାହା ମଧ୍ୟ ଅନେକ କାରଣ ପାଇଁ ବାତିଲ ହୋଇଗଲା। ପରବର୍ତ୍ତୀ ସମୟରେ କେନାଲକୁ ଦୁଇଟି ରିଚ୍‌ରେ ବିଭକ୍ତ କରି ୨୨.୧୨.୨୦୧୬ରେ ତୃତୀୟ ଥର ପାଇଁ ଟେଣ୍ଡର ଆହ୍ଵାନ କରାଗଲା।

ଏହି ଟେଣ୍ଡର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି କ୍ୟାବିନେଟ ମଞ୍ଜୁରି ପାଇଁ ଅଟକି ରହିଥିବା ବେଳେ ଏବେ ପୁଣିଥରେ ଅନିଶ୍ଚିତତା ମଧ୍ୟକୁ ଟାଣି ହୋଇ ସାରିଲାଣି। ଗତ ୨ ଦିନ ତଳେ ‘ସମ୍ବାଦ’ରେ ପ୍ରକାଶିତ ଲେଖା ‘ଶଙ୍ଖ ଦଳିଆ ହାତରେ ଅଟକିଛି ବିକାଶର ପଦ୍ମ’ ପ୍ରକାଶିତ ହେବା ପରେ ଚାଷୀଙ୍କ ମଧ୍ୟରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସଂପୃକ୍ତ ବିଧାୟକମାନେ ମଧ୍ୟ ଟାଳଟୁଳ ନୀତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଏ ଘଟଣା ସବିଶେଷ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ସାହ ଆଲେଚନା କରାଯିବ ବୋଲି ଟେଲିଫୋନ ମାଧ୍ୟମରେ ଜଣାଇଥିଲେ।

ଏବର ଟେଣ୍ଡର ପ୍ରକ୍ରିୟା ପୁଣିଥରେ ବାତିଲ ହେବାର ଚର୍ଚ୍ଚା ଲୋକଙ୍କ ମଧ୍ୟରେ ଜୋର ଧରିଥିବା ବେଳେ ଆଗାମୀ ଖରିଫ ସମୟରେ ମଧ୍ୟ ଦକ୍ଷିଣ କେନାଲରେ ପାଣିଦେବା ଅସମ୍ଭବ ହୋଇପଡ଼ିବ ବୋଲି ଯନ୍ତ୍ରୀମାନେ ଆଲୋଚନା କଲେଣି। କାରଣ ଦକ୍ଷିଣ କେନାଲର ୩ କିମି ଆର୍‌ଡ଼ି, ୪.୨୦୦ କିମି ଆର୍‌ଡ଼ି ଓ ୨୭ କିଲୋମିଟର ଠାରେ କେନାଲ ସମ୍ପୂର୍ଣ୍ଣ ମରାମତି ମାଗୁ ଥିବାରୁ ଏହାର ସମ୍ପୂର୍ଣ୍ଣ ମରାମତି ନହେବା ପର୍ଯ୍ୟନ୍ତ ପାଣି ଛାଡ଼ିବା ଅସମ୍ଭବ ହୋଇପଡ଼ିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏବେ ଦକ୍ଷିଣ ମୁଖ୍ୟ କେନାଲର ସଂପ୍ରସାରଣ ସହିତ ୧୫ ହଜାର ହେକ୍ଟରେ ଜଳ ସେଚନ କେମିତି କରାଯିବ ସେନେଇ ପ୍ରଶ୍ନ ଠିଆ ହୋଇ ସାରିଲାଣି। ଅନ୍ୟ ପଟରେ ପାଣି ନ ଦେଖି ଖର୍ଚ୍ଚ ନାମରେ କୋଟି କୋଟି ଟଙ୍କା କରନାଳି ଯୋଜନାରେ ଖର୍ଚ୍ଚ କରାଯାଉଥିବା କେତେଦୂର ଯୁକ୍ତିଯୁକ୍ତ ତାହା ଏବେ ପ୍ରଶ୍ନ ହୋଇ ଠିଆ ହୋଇଛି। ଅନେକ ଅସମାହିତ ପ୍ରଶ୍ନ ମଧ୍ୟରେ ବୁଡ଼ି ରହିଥିବା ଦକ୍ଷିଣ ମୁଖ୍ୟ କେନାଲ ଚାଷୀଙ୍କ ଭାଗ୍ୟ କେବେ ବଦଳିିବ ତାହା ଏବେ ଦେଖିବାର ବେଳ ଆସିଛି।

ସମ୍ବନ୍ଧିତ ଖବର